ସମ୍ବଲପୁରରେ ସ୍ଥିତି ସମୀକ୍ଷା କଲେ ଫାଇଭ-ଟି ସଚିବ : ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ କଲେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା

74

କନକ ବ୍ୟୁରୋ : ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ । ଏହି ସମୟରେ ସେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ସମଲେଇ ଯୋଜନା କାର୍ଯ୍ୟକୁ ସମୀକ୍ଷା କରଛନ୍ତି । ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ସିଧାସଳଖ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିର ଦର୍ଶନ ପରେ ସମଲେଇ ଯୋଜନା କେମିତି ଅଗ୍ରଗତି କରୁଛି, ତାର ତଦାରଖ କରିଥିଲେ ।

ମନ୍ଦିର ଚାରିପାଖରେ ଚାଲୁଥିବା ସମସ୍ତ କାମର ଟିକିନିଖି ସମୀକ୍ଷା କରାଯାଇଥିଲା । ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଥିଲେ ଫାଇଭ୍-ଟି ସଚିବ । ପୂର୍ତ ସଚିବ ବୀର ବିକ୍ରମ ଯାଦବ ମଧ୍ୟ ଫାଇଭ୍-ଟି ସଚିବଙ୍କ ସହ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି । ଏହାସହ ମହାନଦୀର ଆଳତୀ ଘାଟକୁ ପରିଦର୍ଶନ କରିବା ସହ ନୂତନ ଭାବେ ନିର୍ମାଣ ହେଉଥିବା ସ୍ୱର୍ଗଦ୍ୱାରକୁ ମଧ୍ୟ ବୁଲି ଦେଖଛନ୍ତି । ଡିସେମ୍ବର ସୁଦ୍ଧା କାମ ସାରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ୍-ଟି ସଚିବ ।

ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫ ଏକର ଜମି ଅଧିଗ୍ରହଣ ହୋଇସାରିଛି । ବାକି ୫ ଏକର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରକଳ୍ପ ପରିଦର୍ଶନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ, ଐତିହ୍ୟ ‌ପୋଖରୀ ଅଞ୍ଚଳ, ପୋଡ଼ିୟମ, ଧାଡ଼ି ପରିଚାଳନା ବ୍ୟବସ୍ଥା, କ୍ଲକ୍ ରୁମ୍ ସହିତ ଅନ୍ୟ ଭିତ୍ତିଭୂମି ବିକାଶ ପାଇଁ ଚାଲିଥିବା ନିର୍ମାଣାଧୀନ ଅଞ୍ଚଳ ବୁଲି ଦେଖିଥିଲେ ।

ନିର୍ମାଣାଧୀନ ଐତିହ୍ୟ କରିଡର୍‌ ପରିଦର୍ଶନ କରିଥିଲେ ଏବଂ ଏଥିରେ ସ୍ଥାନୀୟ ଐତିହ୍ୟ ପ୍ରତି ଗୁରୁତ୍ବ ଦେବାକୁ କହିଥିଲେ । ନଦୀ ସମ୍ମୁଖ ଅଞ୍ଚଳ ପ୍ରକଳ୍ପ ପରିଦର୍ଶନ କରି ଏକ ଆଇକନ୍ ଫୁଟ୍ ଓଭର ବ୍ରିଜ୍ ପାଇଁ ଡିଜାଇନ୍ ଚୂଡ଼ାନ୍ତ କରିବା ସହିତ ନଦୀ ସମ୍ମୁଖ ସ୍ତମ୍ଭ ଭିତ୍ତିଭୂମି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ଅନନ୍ୟା ଦାସ, ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁଙ୍କ ସହିତ ଓବିସିସି ନିର୍ମାଣ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।