ସୁନ୍ଦରଗଡର ଶ୍ମଶାନ ବନ୍ଧୁ । ୨ ବର୍ଷ ଭିତରେ ୭ ଶହ ଅଲୋଡ଼ା ଶବର ସତ୍କାର କଲେଣି ୪ ସାଙ୍ଗ, କରୋନାରେ ବି ସାହସ ଦେଖାଇ କରିଥିଲେ ଶବ ସତ୍କାର ।

60

କନକ ବ୍ୟୁରୋ : କରୋନା ମହାମାରୀରେ ମୃତ୍ୟୁବରଣ କରିଥାନ୍ତୁ କି ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତୁ, ସେ ଶବ ଅପରିଚିତ ହେଉ ବା ଅଲୋଡା । ସବୁ ଅଲୋଡା ଶବର ସାଥୀ ପାଲଟିଛନ୍ତି ଚାରି ଶ୍ମଶାନ ବନ୍ଧୁ । ସାଧାରଣ ଲୋକଙ୍କ ଠାରୁ ପୁଲିସ ଏବଂ ଜିଲ୍ଲା ପ୍ରଶାସନ, ସମସ୍ତଙ୍କ ଭରଷା ଏବେ ସୁନ୍ଦରଗଡର ଶ୍ମଶାନ ବନ୍ଧୁଙ୍କ ଉପରେ ।

କରୋନା ମହାମାରୀ ଜନିତ ମୃତ୍ୟୁ ହେଉ କିମ୍ବା ଦୁର୍ଘଟଣା ଜନିତ ମୃତ୍ୟୁ ନିଦ୍ୱର୍ନ୍ଦ୍ୱରେ ଶବ ସତ୍କାର କରିବା ପାଇଁ ଆଗେଇ ଆସନ୍ତି ୪ ବନ୍ଧୁ ସିଦ୍ଧାନ୍ତ, ଶିଶିର, କମଲେଶ ଏବଂ ମନୋଜ । କରୋନା କାଳରେ ଦିନକୁ ୧୦ରୁ ଉର୍ଦ୍ଧ କୋଭିଡ ମୃତକଙ୍କ ଶବ ଦାହ କରି ଚର୍ଚ୍ଚାକୁ ଅସିଥିବା ଶ୍ମଶାନ ବନ୍ଧୁମାନେ ଏହି ୨ ବର୍ଷରେ ୭ଶହ ଶବ ସତ୍କାର କରି ସାରିଛନ୍ତି ।

ଯେତେବେଳେ ଭୂତାଣୁ ଭୟରେ ସଂପର୍କୀୟ ବି ଶବ ଛୁଉଁ ନଥିଲେ । କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ସତ୍କାର କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଥିଲା । ଠିକ୍ ସେହି ସମୟରେ ଦିନରାତି ଏକ କରି ପିପିଇ କିଟ ପିନ୍ଧି ଶବ ସତ୍କାର କରୁଥିଲେ ସୁନ୍ଦରଗର ଏହି ଶ୍ମଶାନ ବନ୍ଧୁ ୪ ଜଣ । କେବଳ ମହାମାରୀ ମସୟରେ ନିର୍ଭୟରେ ୪୦୦ରୁ ଉର୍ଦ୍ଧ ଶବ ସତ୍କାର କରିଥିଲେ ।

ଅସହାୟ ଲୋକଙ୍କ ସହାୟତା ପାଇଁ ସବୁ ବେଳେ ଅଗେଇ ଆସନ୍ତି ୪ ସାଙ୍ଗ । ସୁନ୍ଦରଗଡ ସହର ଲୁହୁରାଢିପାର ରଞ୍ଜିତ ପଣ୍ଡାଙ୍କ ଶବ ସତ୍କାର ପରେ ଏମାନଙ୍କ ଶବ ସତ୍କାର ସଂଖ୍ୟା ୭୦୦ରେ ପହଂଚିଛି । ଆଉ ଏଭଳି ଏକ ମହତ କାର୍ଯ୍ୟ କରୁଥିବାରୁ ଚାରିଆଡୁ ପ୍ରଂଶସାର ସୁଅ ଛୁଟିଛି ।