ରାଜ୍ୟରେ ଏବେ ପର୍ଯ୍ୟନ୍ତ ୪୧ ଲକ୍ଷ ଲୋକ ନେଇନାହାଁନ୍ତି କୋଭିଡ୍ ଟିକାର ପ୍ରଥମ ଡୋଜ୍ । ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ଶେଷ କରିିବାକୁ ଲକ୍ଷ୍ୟ ।

92

କନକ ବ୍ୟୁରୋ: କୋଭିଡ୍ ବିପକ୍ଷରେ ଟିକାକରଣକୁ ପ୍ରାଥମିକତା ଦେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଓମିକ୍ରନ୍ ସଂକ୍ରମଣ ବଢୁଥିବାବେଳେ, ବିଶେଷଜ୍ଞ ମଧ୍ୟ ଟିକାକରଣ ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଏପରି ସମୟରେ ଏବେ ଟିକାକରଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତାଙ୍କ କହିବା ମୁତାବକ, ରାଜ୍ୟର ୮୭ ପ୍ରତିଶତ ଲୋକ କୋଭିଡ ଟିକାର ପ୍ରଥମ ଡୋଜ୍ ନେଇସାରିଛନ୍ତି । କେବଳ ୧୩ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇନାହାଁନ୍ତି, ଯାହାର ସଂଖ୍ୟା ହେଉଛି ୪୧ ଲକ୍ଷ । ତେବେ ସମସ୍ତଙ୍କୁ ନିବେଦନ ଯେ, ସମସ୍ତେ ସ୍ୱତ୍ୱ ପ୍ରବୃତ୍ତ ଭାବେ ଟିକା ନିଅନ୍ତୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଅନ୍ୟପଟେ ରାଜ୍ୟରେ ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ୫୪ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି ବୋଲି ସୂଚନା ଦିଆଯାଇଛି । ତେବେ ଓମିକ୍ରନ୍ ଭୂତାଣୁର ଭୟାବହତା ବଢୁଥିବାରୁ ଏଥିପାଇଁ ଆମକୁ ସଜାଗ ରହିବାକୁ ପଡିବ ବୋଲି କୁହାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୟୂରଭଞ୍ଜ, କନ୍ଧମାଳ ଓ କଟକ ଭଳି ଜିଲ୍ଲାରେ ପ୍ରଥମ ଡୋଜ୍ ଟିକାକରଣ ହାର ବହୁତ କମ ରହିଛି ବୋଲି ସେ ସୂଚନା ଦେଇଛନ୍ତି ।