କାଳଭୈରବଙ୍କ ଶରଣରେ ମୋଦୀ । ବାରଣାସୀରେ ପହଞ୍ଚିବା ପରେ କାଳଭୈରବଙ୍କର କଲେ ଆଳତୀ ।

68

କନକ ବ୍ୟୁରୋ : କାଶୀ ବିଶ୍ୱନାଥ କରିଡର୍‌ ଉଦ୍‌ଘାଟନ କରିବା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଥିବା କାଳଭୈରବ ମନ୍ଦିରକୁ ଯାଇ ଆଳତୀ କରିଛନ୍ତି । ବାରାଣସୀରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ନିମନ୍ତେ ଉକ୍ତ ମେଗା ପ୍ରୋଜେକ୍ଟ୍‌ର ଉଦଘାଟନ କରିବା ଲାଗି ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀ ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ କରିଥିଲେ ।

ପ୍ରାୟ ୨୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ କାଶୀ ବିଶ୍ୱନାଥ କରିଡର୍‌ର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ଉପଲକ୍ଷେ ବାରାଣସୀରେ ଆଜି ଉତ୍ସବ ବାତାବରଣ ସୃଷ୍ଟି ହୋଇଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ କହିବା ଅନୁସାରେ, ଏହି କରିଡର୍‌ ଉଦ୍‌ଘାଟନ ବାରାଣସୀରେ ଏକ ଅଭୂତପୂର୍ବ ଇତିହାସ ସୃଷ୍ଟି କରିବ । ଆଜି ଟୁଇଟ୍‌ କରି ସେ ଲେଖିଛନ୍ତି, ଇତିହାସର ୧୦୦୦ ବର୍ଷରେ ଯାହା କରାଯାଇ ପାରିନଥିଲା, ସମ୍ମାନୀୟ ପ୍ରଧାନମନ୍ତ୍ରୀ ତାହା କରିଛନ୍ତି । ମୋକ୍ଷ ପାଇଁ ୪୦୦ ବର୍ଷର ପ୍ରତୀକ୍ଷାକୁ ଚାହିଁ ସେ ହିନ୍ଦୁ ଆତ୍ମସମ୍ମାନର ପୁନଃପ୍ରତିଷ୍ଠା କରିଛନ୍ତି । ଏହି ଉଦ୍‌ଘାଟନୀ ଉତ୍ସବରେ ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ ।