ଗୋଷାଣୀ ନୂଆଗାଁସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୩ତମ ବାର୍ଷିକୋତ୍ସବ: ଯୋଗଦେଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ

113

କନକ ବ୍ୟୁରୋ: ବ୍ରହ୍ମପୁର ଗୋଷାଣୀ ନୂଆଗାଁସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଶୁମନ୍ଦିର ପରିଚାଳନା କମିଟି ସଭାପତି ପ୍ରଦୀପ୍ତ କୁମାର ଦାଶଙ୍କ ସଭାପତିତ୍ୱ ଆୟୋଜିତ ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଆଉ କହିଥିଲେ ଶିକ୍ଷା ସଫଳତାର ମାପକାଠି। କଠିନ ପରିଶ୍ରମ, ନିରନ୍ତର ପ୍ରୟାସ ସଫଳତା ଆଣେ। ପ୍ରତ୍ୟେକ ଶିଶୁମାନଙ୍କ ମଧ୍ୟରେ କିଛି ନା କିଛି ଅନ୍ତର୍ନିହିତ ପ୍ରତିଭା ରହିଛି। ଶିଶୁଙ୍କ ସୃଜନଶୀଳତା ବିକାଶ ଲାଗି ଉଭୟ ଶିକ୍ଷକ, ଅଭିଭାବକମାନଙ୍କ ଉତ୍ତରଦାୟିତ୍ଵ ରହିଛି। ବିଦ୍ୟାଳୟ ହେଉଛି ଏକ ମଣିଷ ଗଢା କାରଖାନା। ଏଠାରୁ ଦେଶର ଭବିଷ୍ୟତ ଗଠନ ହେବେ। ଏଣୁ ଉତ୍ତମ ପରିବେଶ, ଶୈକ୍ଷିକ ବାତାବରଣ, ଗୁଣାତ୍ମକମାନର ଶିକ୍ଷା ଉପଯୁକ୍ତ ଛାତ୍ରଛାତ୍ରୀଙ୍କୁ ଗଢିଥାଏ। ଶୃଙ୍ଖଳିତ ସମାଜ ଗଠନରେ ଶିକ୍ଷକମାନଙ୍କ ଏକ ପ୍ରମୁଖ ଭୂମିକା ରହିଛି। ଶିକ୍ଷକ ସମାଜ ହେଉଛନ୍ତି ଦେଶର ମାର୍ଗଦର୍ଶକ। ସେମାନଙ୍କ ଆଶୀର୍ବାଦ, ପ୍ରେରଣାରୁ ଉତ୍ତମ ଛାତ୍ର ଗଠନ ହୋଇଥାନ୍ତି। ପ୍ରତ୍ୟେକ ମହାପୁରୁଷ, ରାଷ୍ଟ୍ରନାୟକଙ୍କ ପଛରେ ସେମାନଙ୍କ ପିତାମାତା, ଗୁରୁଜନଙ୍କ ଆଶୀର୍ବାଦ ରହିଛି।

ଶିକ୍ଷାବିତ ଲକ୍ଷ୍ମଣ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା, ସଂସ୍କାର ବିଶ୍ବକୁ ମାର୍ଗଦର୍ଶନ କରୁଛି। ବସୁଧୈବ କୁଟୁମ୍ବକର ବାର୍ତ୍ତା ଦେଇ ଆସୁଥିବା ଭାରତର ପ୍ରାଚୀନ ଶିକ୍ଷା ଥିଲା ଅତି ଉଚ୍ଚକୋଟିର। ନାଳନ୍ଦା, ତକ୍ଷଶିଳା ପରି ଆଦର୍ଶ ଗୁରୁକୁଳ ଏ ଦେଶର ଅସ୍ମିତା। ଶିକ୍ଷା ମନୁଷ୍ୟକୁ ପରିପୂର୍ଣ୍ଣ କରିଥାଏ। କଳା, ସଂସ୍କୃତି ପରମ୍ପରାରେ ଭରପୁର ଏ ଦେଶର ବିବିଧତା ମଧ୍ୟରେ ଏକତା ହେଉଛି ଏହାର ପରିଚୟ। ମାତୃଭୂମି, ମାତୃଭାଷା ସର୍ବଦା ବନ୍ଦନୀୟା । ଏହାର ବିକାଶ ଦିଗରେ ସମସ୍ତଙ୍କ ଦାୟିତ୍ୱ ରହିଛି। ଏହା ପରସ୍ପର ମଧ୍ୟରେ ସମ୍ପର୍କର ସେତୁବନ୍ଧ ଭାବେ କାର୍ୟ୍ୟ କରିଥାଏ । ଏଣୁ ନିଜ ମାଟି, ମାତୃଭାଷାକୁ ଭଲ ପାଅ। ନିଜକୁ ଓଡ଼ିଆ ବୋଲି ଗର୍ବ ଅନୁଭବ କର ବୋଲି କହିଥିଲେ। ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ଶୃଙ୍ଖଳା ଓ ଜ୍ଞାନର ପରିସୀମା ବିକାଶ ଲାଗି ପରାମର୍ଶ ଦେଇଥିଲେ। ଆଗକୁ ବଢିବାକୁ ହେଲେ ସ୍ବପ୍ନ ଦେଖ, ସାକାର ନ ହେବା ପର୍ୟ୍ୟନ୍ତ ପରିଶ୍ରମ କର । ପ୍ରତ୍ୟେକ ବିଫଳତା ପଛରେ ସଫଳତା ରହିଛି। ଅଧୈର୍ୟ୍ୟ ନହୋଇ ଧୈର୍ୟ୍ୟର ସହ ଉଦ୍ୟମ ଜାରି ରଖିଲେ ନିଶ୍ଚିତ ଶୀର୍ଷ ସ୍ଥାନରେ ପହଞ୍ଚିପାରିବ। ଅନ୍ୟତମ ସମ୍ମାନିତ ଅତିଥି ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁ କହିଲେ ପାଠପଢା ସହ ସମପରିମାଣରେ ଖେଳକୁଦ କର । ପ୍ରତିଭା ବିକଶିତ କର। ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ ।

ଶିଶୁ ବିଦ୍ୟାମନ୍ଦିର ପ୍ରଧାନାଚାର୍ୟ୍ୟ ନାରାୟଣ ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲେ। ଶେଷରେ ଛାତ୍ରୀଛାତ୍ର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରି ଅଭିଭାବକ ମାନଙ୍କୁ ବିମୋହିତ କରିଥିଲେ। ସମସ୍ତ ଗୁରୁଜୀ, ଗୁରୁମା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।