ଆଜି ଗୁଜରାଟରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ । ଲଗାତର ସପ୍ତମ ଥର ପାଇଁ କ୍ଷମତାରେ ବସିବ ବିଜେପି

101

କନକ ବ୍ୟୁରୋ : ଆଜି ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ନେବେ । ଅପରାହ୍ନରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ରାଜ୍ୟର ୧୮ ତମ ମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଏଥିପାଇଁ ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ପହଂଚିଛନ୍ତି । ତାଙ୍କୁ ଏଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଏକ ଲମ୍ବା ଲାଇନ ଲାଗିଥିଲା । ପ୍ରଧାନମନ୍ତ୍ରୀ ହାତ ମିଳାଇ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି । ଏହି ସମୟରେ ଲୋକମାନେ ମୋଦୀ-ମୋଦୀ ସ୍ଲୋଗାନ ଦେଇଥିଲେ । ଏହି ଶପଥ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ତେବେ ସୂଚନା ଅନୁଯାୟୀ ଶପଥ ଗ୍ରହଣ ପୂର୍ବରୁ ଲୀଲା ହୋଟେଲରେ ବିଜେପି ବିଧାୟକଙ୍କ ବୈଠକ ମଧ୍ୟ ହେବ । ପଟେଲଙ୍କ ସହ କିଛି ନୂତନ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଅନେକ ନିର୍ବାଚନ ସମାବେଶରେ କହିଥିଲେ ଯେ ଏଥର ବିଜେପିକୁ ଭୋଟ୍ ଦିଅନ୍ତୁ ଯେପରି ଭୁପେନ୍ଦ୍ର ନରେନ୍ଦ୍ରଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ । ଗୁଜୁରାଟର ଲୋକମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ଅନୁରୋଧକୁ ରକ୍ଷା କରି ବିଜେପିକୁ ଭୋଟ ଦେଇଥିଲେ । ଅନ୍ୟପଟେ ଗୁଜୁରାଟରେ ବିଜେପିର ରେକର୍ଡ ବିଜୟ ପରେ ଏବେ ରାଜ୍ୟରେ ଦଲବଦଳ ଖେଳ ଆରମ୍ଭ ହୋଇଛି । ଆମ୍ ଆଦମୀ ପାର୍ଟିର ଜଣେ ଓ ଅନ୍ୟ ତିନି ଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଜଣାଇଛନ୍ତି । ତେବେ ଆପ ବିଧାୟକ ବିଜେପିରେ ଯୋଗଦେବାକୁ ମନା କରି ଦେଇଛନ୍ତି । ଚାରିଜଣଙ୍କ ମଧ୍ୟରୁ ତିନିଜଣ ପୂର୍ବରୁ ବିଜେପିରେ ଥିଲେ । ଗୁଜୁରାଟର ୧୮୨ ବିଧାନସଭା ଆସନରୁ ବିଜେପି ଚଳିତ ଥର ୧୫୬ଟି ଆସନ ଜିତିଛି । ୨୦୧୭ ତୁଳନାରେ ଏହା ୫୮ଟି ସିଟ ଅଧିକ ଜିତିଛି । ଏଥି ସହ କଂଗ୍ରେସ ସର୍ବାଧିକ ୬୦ଟି ସିଟ୍ ହରାଇଛି । ଗତଥର ଦଳ ୭୭ଟି ଆସନ ଜିତିଥିଲା । ଏଥର ମାତ୍ର ୧୭ଟି ସିଟ୍ ପାଇଛି । ଆମ୍ ଆଦମୀ ପାର୍ଟି ୫ଟି ସିଟ୍ ଜିତିଛି ।