ବାତ୍ୟା ଭରଣା ପାଇଁ ଆବଶ୍ୟକ ୨୮ହଜାର କୋଟି : ପ୍ରାରମ୍ଭିକ ଆକଳନ ପରେ ଆସିଲା ରିପୋର୍ଟ

238
କନକ ବ୍ୟୁରୋ : ସାମୁଦ୍ରିକ ଝଡ ଫନି କ୍ଷୟକ୍ଷତିକୁ ନେଇ ରାଜ୍ୟ ସରକାରଙ୍କ ଆକଳନ ଏଯାଏ ଚୂଡାନ୍ତ ରୂପ ନେଇପାରିନାହିଁ । ଏପଟେ କିନ୍ତୁ ମିଳିତ ଜାତିସଂଘ, ବିଶ୍ବବ୍ୟାଙ୍କ ଓ ଏସୀୟ ଉନ୍ନୟନ ବ୍ୟାଙ୍କ ଆଦିର ପ୍ରତିନିଧିମାନେ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଯେଉଁ ତଥ୍ୟ ରଖିଛନ୍ତି, ତାହା ଫନିର କ୍ଷତ କେତେ ଗଭୀର, ତାହା ସୂଚାଉଛି । ହଜାରେ କି ପାଞ୍ଚ ହଜାର କୋଟି ନୁହେଁ, ଏହି ପ୍ରତିନିଧିମାନେ ତାଙ୍କ ପ୍ରାଥମିକ ରିପୋର୍ଟରେ ଦର୍ଶାଇଛନ୍ତି କ୍ଷତିର ପରିମାଣ ୨୪ ହଜାର ୬୫୧ କୋଟି ଟଙ୍କା । ଅନ୍ୟୂନ ୨୮ ହଜାର କୋଟି ଟଙ୍କାର ସହାୟତା ଦିଆଗଲେ, ଏହାକୁ ଭରଣା କରାଯାଇପାରିବ।
ପ୍ରଧାନମନ୍ତ୍ରୀ ମେ’ ୬ତାରିଖରେ ଓଡ଼ିଶା ବୁଲି ଫେରିବା ପରେ ଅର୍ଥ ମନ୍ତ୍ରାଳୟ ପରାମର୍ଶ କ୍ରମେ ଏହି ପ୍ରତିନିଧିମାନେ ଓଡ଼ିଶା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରାରମ୍ଭିକ ଆକଳନ କରି ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ବିଦ୍ୟୁତ୍ କ୍ଷେତ୍ରରେ ଭିତ୍ତିଭୂମି ଜନିତ କ୍ଷୟକ୍ଷତିର ପରିମାଣ ୮୩୯୩ କୋଟି ଟଙ୍କା ଡେଇଁଯିବ । ସ୍ଥିତିରେ ସୁଧାର ଆଣିବା ଲାଗି ୯୭୪୮କୋଟି ଟଙ୍କାର ଆବଶ୍ୟକତା ରହିଛି । ବାତ୍ୟା ଯୋଗୁଁ ଯେତିକି ଘର ଭାଙ୍ଗିଛି, ତାକୁ ହିସାବ କଲେ, କ୍ଷତିର ପରିମାଣ ୩୦୭୫ କୋଟି ଟଙ୍କା ହେବ।
କିନ୍ତୁ ବିପନ୍ନଙ୍କୁ ପକ୍କା ଘର ଯୋଗାଇବା ଲାଗି ଅନ୍ୟୂନ ୮୯୯୬ କୋଟି ଟଙ୍କା ଦରକାର ପଡିପାରେ । ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘର ସାନି ନିର୍ମାଣ ପାଇଁ ୬୬୯୪ କୋଟି ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ଘର ମରାମତି ଲାଗି ୪୧୨ କୋଟି ଟଙ୍କା ଆକଳନ କରାଯାଇଛି। ସହରାଞ୍ଚଳରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଘର ପୁନଃ ନିର୍ମାଣ ପାଇଁ ୧୪୫୭ କୋଟି ଟଙ୍କା ଓ ଆଂଶିକ କ୍ଷତିଗ୍ରସ୍ତ ଘର ମରାମତି ଲାଗି ୨୫୪କୋଟି ଦରକାର । କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର କ୍ଷତି ଭରଣା ପାଇଁ ୩୦୩୦ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ଅପରିହାର୍ଯ୍ୟ। ନିଯୁକ୍ତି ଓ ଜୀବିକା କ୍ଷେତ୍ରରେ ଏହାର ପରିମାଣ ୪୮୭୭ କୋଟି ଟଙ୍କା ହେବ ।
ଉଲ୍ଲେଖଯୋଗ୍ୟ, ବାତ୍ୟାରେ ରାଜ୍ୟର ୫ଲକ୍ଷରୁ ଅଧିକ ଘର ଭାଙ୍ଗିଛି। ଏ ପରିପେକ୍ଷୀରେ ଓଡିଶାକୁ ଘରଭଙ୍ଗା ସାହାଯ୍ୟ ବାବଦରେ ୭୦୦୦ କୋଟି ଟଙ୍କା ଯୋଗାଇ ଦେବାକୁ ପୂର୍ବରୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପରବର୍ତ୍ତୀ ଆକଳନ ଅନୁଯାୟୀ ଏ ବାବଦରେ ୯୦୦୦ କୋଟି ଟଙ୍କା ଆବଶ୍ୟକ ପଡିବ ବୋଲି ହିସାବ କରାଯାଉଛି ।