ସଂଗଠନରେ ରାଜନୀତି ପଶିଲା ବୋଲି ବନ୍ଦ ଫସର ଫାଟିଗଲା କି?

304

କନକ ବ୍ୟୁରୋ : ସମୟ ଥିଲା, ନବ ନିର୍ମାଣ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଚାଷୀଙ୍କ ତରଫରୁ ମିଳିଥିଲା ସମର୍ଥନ । ସରକାର ଚାପଗ୍ରସ୍ତ ହେବା ସହ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ବାଧ୍ୟ ହେଉଥିଲେ । ହେଲେ ଗୁରୁବାରର ଓଡିଶା ବନ୍ଦ କିନ୍ତୁ ସଫଳ ହେଲାନାହିଁ, ଏହାର ସେଭଳି ବଡ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲା ନାହିଁ ।

ଏହା ପଛରେ ଦୁଇଟି କାରଣକୁ ନେଇ ଚର୍ଚ୍ଚା କରାଯାଉଛି । ହୁଏତ କାଳିଆ ଯୋଜନାକୁ ନେଇ ଚାଷୀକୂଳ ସନ୍ତୁଷ୍ଟ ନଚେତ ସଂଗଠନରେ ଯେତେବେଳେ ରାଜନୀତି ମିଶିଲା, ସେତେବେଳେ ଚାଷୀ ମାନେ ଏଥିରୁ ଦୂରେଇ ରହିବାକୁ ଉଚିତ ମନେ କଲେ ।

ନବ ନିର୍ମାଣ କୃଷକ ସଂଗଠନ ଏଭଳି ଏକ ଆନ୍ଦୋଳନ ଭାବେ ମୁଣ୍ଡ ଟେକିଥିଲା, ଯାହା ମୁଖ୍ୟ ରାଜନୈତିକ ଦଳମାନଙ୍କ ସମର୍ଥନ ବିନା ଆଗକୁ ବଢିଥିଲା । ଯେଉଁଠି ହଜାର ହଜାର ଚାଷୀ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି ନେଇ ରାସ୍ତାକୁ ଓହ୍ଲାଇବା ସହ ସରକାରଙ୍କୁ ଚାପଗ୍ରସ୍ତ କରିବାରେ ସକ୍ଷମ ହୋଇଥିଲେ ।

କିନ୍ତୁ ଓଡିଶା ବନ୍ଦକୁ ଯେଉଁଭଳି ଭାବେ ବିଜେପି ଓ କଂଗ୍ରେସ ତରଫରୁ ସମର୍ଥନ କରାଗଲା ଏବଂ ବିଜେଡି ତରଫରୁ ଦୁଇ ଜାତୀୟ ରାଜନୈତିକ ଦଳଙ୍କ ଆଭିମୁଖ୍ୟକୁ ନେଇ ସମାଲୋଚନା କରାଗଲା, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଥିଲା, ନବ ନିର୍ମାଣ ଭଳି ଅଣ ରାଜନୈତିକ ସଂଗଠନରେ ପଲିଟିକ୍ସ ପଶିଯାଇଛି ।

ଯେଉଁ ଦୁଇ ରାଜନୈତିକ ଦଳ ଅର୍ଥାତ୍ କଂଗ୍ରେସ ଓ ବିଜେପି ନୈତିକ ସମର୍ଥନ ଦେଲେ, ସେମାନଙ୍କ ବିରୋଧରେ ବଡ ଅପବାଦ ବିଜେଡି ଲଗାଇଲା, ନିର୍ବାଚନ ବୈତରଣୀ ପାର ହେବାକୁ ସଂଗଠନର କାନ୍ଧକୁ ବ୍ୟବହାର କରିବାକୁ ଉଦ୍ୟମ ହୋଇଛି । ବୋଧହୁଏ ଯେଉଁ ଚାଷୀ ନିଜ ହକ୍ ପାଇଁ ବର୍ଷ ବର୍ଷ ଧରି ନିଜ ହକ୍ ପାଇଁ ଲଢେଇ କରୁଥିଲେ, ସେମାନେ ଏହି ରାଜନୈତିକ ଆରୋପ ପ୍ରତ୍ୟାରୋପରୁ ନିଜକୁ ଦୂରେଇ ରଖିବାକୁ ଚାହିଁଲେ ।

ବଡ କଥା ହେଉଛି, ଯେଉଁ ଦୁଇ ରାଜନୈତିକ ଦଳଙ୍କ ତରଫରୁ ସମର୍ଥନ ମିଳିଲା, ଉଭୟଙ୍କ ଆଭିମୁଖ୍ୟ ଅଲଗା ଅଲଗା । ଦିଲ୍ଲୀରେ ବିଜେପି କ୍ଷମତାରେ ଅଛି । କିନ୍ତୁ ପ୍ରାଇସ ବାବଦରେ ଆଭିମୁଖ୍ୟ ଖୁବ ନୈରାଶ୍ୟଜନକ । ଏପରିକି ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିପାରିଲା ନାହିଁ । ଦେଢଗୁଣା ଏମଏସପି ଦେବା ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ହିଁ ରହିଗଲା ।

ଆଉ ଦୀର୍ଘ ବର୍ଷ ଧରି କଂଗ୍ରେସ ଦେଶକୁ ଶାସନ କରିଥିବା ବେଳେ ଚାଷୀଙ୍କ ଉନ୍ନତି ନେଇ ନେଇଥିବା ପଦକ୍ଷେପକୁ ଲଗାତର ସମାଲୋଚନା କରି ଆସିଛି ବିଜେପି । ତେଣୁ ଯେଉଁ ଦୁଇ ରାଜନୈତିକ ଦଳ ତରଫରୁ ସମର୍ଥନ ଛୁଟି ଆସିଲା, ଉକ୍ତ ଦୁଇ ଦଳର ଆଭିମୁଖ୍ୟ ବେଶ ଅସ୍ପଷ୍ଟ । ଅନୁମାନ କରାଯାଉଛି, ଏହି ସ୍ଥିତି ହିଁ ଚାଷୀଙ୍କୁ ଓଡିଶା ବନ୍ଦ ଆନ୍ଦୋଳନ ଡାକରାରୁ ନିବୃତ୍ତ ରହିବାକୁ ବାଧ୍ୟ କଲା । ଫଳରେ ଓଡିଶାରେ ସେଭଳି କୈାଣସି ପ୍ରଭାବ ଦେଖିବାକୁ ମିଳିଲା ନାହିଁ ।

ଅନ୍ୟ ଗୋଟିଏ ଦିଗ ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା କରାଯାଉଛି, ତାହା ହେଉଛି କାଳିଆ ଯୋଜନା । ବର୍ତ୍ତମାନ ସୁଦ୍ଧା ନାମମାତ୍ର, କ୍ଷୁଦ୍ର, ଭାଗ ଚାଷୀ ଓ ଭୂମିହୀନ ଚାଷୀଙ୍କୁ ମିଶାଇ ୩୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଂଟକୁ ଅର୍ଥ ଯାଇ ସାରିଲାଣି । ଏପରିକି ଯୋଜନା ଅଧୀନରେ ଅନ୍ୟ ଯେଉଁ ସବୁ ସୁବିଧା ରହିଛି, ତାକୁ ବୋଧହୁଏ ଗ୍ରହଣ କରି ନେଇଛନ୍ତି ଚାଷୀ । ଯେଉଁଥିପାଇଁ ରାସ୍ତାକୁ ଓହ୍ଲାଇବାକୁ ଉଚିତ ମନେ କରିନାହାନ୍ତି ବୋଲି ଅନୁମାନ କରାଯାଉଛି ।

ଆଗାମୀ ନିର୍ବାଚନରେ ଚାଷୀ ହିଁ ନିର୍ଦ୍ଧାରଣ କରିବେ କେନ୍ଦ୍ର ଓ ରାଜ୍ୟରେ କିଏ ସତ୍ତାକୁ ଆସିବ । ଆଉ ଏହାକୁ ଆଖି ଆଗରେ ରଖି ନିଜ ନିଜ ଗୋଟି ଚାଳନା କରିବାରେ ସମସ୍ତେ ବ୍ୟସ୍ତ । କଂଗ୍ରେସ ଋଣଛାଡ ଓ ଏମଏସପି କଥା କହୁଥିବା ବେଳେ ନବୀନ ସରକାର କାଳିଆ ଯୋଜନା ମାଧ୍ୟମରେ କୃଷକ ଉନ୍ନତୀକରଣ କଥା କହୁଛନ୍ତି ଓ ମୋଦି ଭରସା କରିଛନ୍ତି ପିଏମ କିଷାନ ନିଧି ଯୋଜନା ଉପରେ ।

କିନ୍ତୁ ଏହାରି ଭିତରେ ଗୋଟିଏ କଥା ସ୍ପଷ୍ଟ, ଚାଷୀ କୂଳ ରାଜନୀତି ଭିତରେ ପଶିବା ପରିବର୍ତ୍ତେ କିଭଳି ସେମାନଙ୍କର ସାମଗ୍ରିକ ଉନ୍ନତି ହୋଇପାରିବ, ସେଥିପାଇଁ ଯଥେଷ୍ଟ ଚିନ୍ତା କରୁଛନ୍ତି । ହୁଏତ ଆପଣ ଚିନ୍ତା କରିପାରନ୍ତି, କିଛି ମାସ ପୂର୍ବେ ଯେତେବେଳେ ଚାଷୀ ଭୁବନେଶ୍ୱରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ସେତେବେଳେ ସରକାର ସେମାନଙ୍କୁ ଅଟକାଇଥିଲେ । ସେତେବେଳେ ରାଜନୈତିକ ଦଳ ମଧ୍ୟ ସେମାନଙ୍କୁ ସମର୍ଥନ ଦେଇଥିଲେ । ଆଉ ଆନ୍ଦୋଳନ ବେଶ ଫଳପ୍ରଦ ହୋଇଥିଲା ।

କିନ୍ତୁ ଏହାରି ଭିତରେ ଗୋଟି ଦିଗ ପରିବର୍ତ୍ତିତ ହୋଇଛି । ନବ ନିର୍ମାଣ କୃଷକ ସଂଗଠନକୁ ଆୟୁଧ କରି ରାଜନୀତି କରିବାକୁ ଆଗଭର ହୋଇଛନ୍ତି ଦୁଇ ରାଜନୈତିକ ଦଳ ଆଉ ରାଜ୍ୟ ସରକାର କାଳିଆ ଯୋଜନା ଆଣି ୩୦ ଲକ୍ଷ ଚାଷୀଙ୍କ ଆକାଉଂଟକୁ ଅର୍ଥ ପଠାଇ ସାରିଛନ୍ତି ।

କେନ୍ଦ୍ର ସରକାର ପ୍ରାଇସ ଉପରେ ଆଭିମୁଖ୍ୟକୁ ସ୍ପଷ୍ଟ କରି ଆଗକୁ ବଢୁନାହାନ୍ତି ଏବଂ ଏଠାରେ ଉକ୍ତ ଦଳର ପ୍ରତିନିଧି ନବ ନିର୍ମାଣ କୃଷକ ସଂଗଠନକୁ ସମର୍ଥନ ଜଣାଉଛନ୍ତି । ଯାହା ଚାଷୀଙ୍କୁ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ବାଧ୍ୟ କରିଛି ବୋଲି କୁହାଯାଉଛି ।
ସଫାସଫା କହିବାକୁ ଗଲେ, ସଂଗଠନରେ ଯେତେବେଳେ ରାଜନୀତି ପଶିଛି ବା ସଂଗଠନକୁ ଆୟୁଧ କରି ରାଜନୀତିର ରୁଟି ସେକିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି, ତାକୁ ନାପସନ୍ଦ କରିଛନ୍ତି ଚାଷୀକୂଳ ।

Comments are closed.