ଗୋପାଳପୁରଠାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ତିତଲି : ଆଜି ରାତି ସୁଦ୍ଧା ନେବ ବାତ୍ୟାର ରୂପ

41

କନକ ବ୍ୟୁରୋ : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଆଜି ରାତି ସୁଦ୍ଧା ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏବେ ଗୋପାଳପୁର ଠାରୁ ପାଖାପାଖି ୫ଶହ କିଲୋମିଟର ଦୂରରେ ତିତଲି ରହିଛି । ୧୧ ତାରିଖ ସକାଳେ ଏହା କଳିଙ୍ଗପଟ୍ଟନମ –ଗୋପାଳପୁର ମଧ୍ୟରେ ଅତିକ୍ରିମ କରିବା ସମ୍ଭାବନା ରହିଛିା ଏହି ସମୟରେ ପବନର ବେଗ ୯୦ରୁ ଶହେ କିଲୋମିଟର ଭିତରେ ରହିବ । ଏହା ପ୍ରଭାବରେ ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡିଶାରେ ବର୍ଷାର ଆରମ୍ଭ ହୋଇଯିବ । ୧୦-୧୧ ତାରିଖରେ ଦକ୍ଷିଣ ଓଡିଶା-ଉପକୂଳ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ୧୨ ତାରିଖରୁ ବର୍ଷାର ପରିମାଣ କମିବ ।

ପାଣିପାଗ ବିଭାଗର ଆକଳନ ଓ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କୌଣସି ବି ଅଧିକାରୀ ଜିଲ୍ଲା ମୁଖ୍ୟାଳୟ ନଛାଡିବାକୁ କୁହାଯାଇଛି । ବାତ୍ୟାର ମୁକାବିଲା ପାଇଁ ୨୦ଟି ଓଡ୍ରାଫ ଟିମ ଓ ୧୧ଟି ଏନଡିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି । ଆଜିଠୁ ୩ ଦିନ ଧରି ବର୍ଷା ଲାଗି ରହିବ । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା କଂଟ୍ରୋଲ ରୁମକୁ ୨୪ଘଂଟା ଖୋଲା ରଖିବାକୁ କୁହାଯାଇଛି ।

ସେପଟେ କେନ୍ଦ୍ରାପଡା ଜିଲ୍ଲାରେ ଉପକୂଳ ଅଂଚଳରେ ଆତଙ୍କ ଖେଳି ଯାଇଛି । ପାଣି ପାଗ ବିଭାଗ ପକ୍ଷରୁ ବର୍ଷା ଯୋଗୁଁ ରେଡ ଆର୍ଲଟ ଜାରି କରାଯିବା ପରେ ଜିଲ୍ଲା ପ୍ରଶାସନ ମୁକାବିଲା ପାଇଁ ପ୍ରସ୍ତୁତି କରୁଛି । ମେରାଇନ୍ ଫିସରି ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରି ଦିଆଯାଇଛି । ମହାକାଳପଡା ବ୍ଲକ ଖରିନାସୀ ଜେଟିରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ସେପଟେ ଆଗରୁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଟ୍ରଲର ଜେଟିକୁ ଫେରି ଆସିଛି ।