ନୂଆବର୍ଷ ପୂର୍ବରୁ ମୋଦି ସରକାରଙ୍କ ବଡ ଉପହାର: ଏଣିକି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ମିଳିବ ପାଞ୍ଚ ଗୁଣା ଅଧିକ ପେନସନ

998

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବୃଦ୍ଧାବୃଦ୍ଧି, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ବଡ ଉପହାର ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ମିଳିଥିବା ସୂଚନା ଅନୁସାରେ, ମୋଦି ସରକାର ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ମିଳୁଥିବା ପେନସନକୁ ପାଂଚ ଗୁଣା ବଦ୍ଧିତ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦି ସରକାର । ଯାହା ଉପରେ ଆସନ୍ତା ୧୫ ଜାନୁଆରୀକୁ ବସୁଥିବା ସାମାଜିକ ସହାୟତା କାର୍ଯ୍ୟକ୍ରମରେ ନିଷ୍ପତି ନିଆଯାଇପାରେ । ତେବେ ଏହି ବୈଠକ କେନ୍ଦ୍ରମନ୍ତ୍ରୀ ରାମକୃପାଳ ଯାଦବଙ୍କ ଅଧ୍ୟକ୍ଷତାରେ ହେବ ।

ସରକାରୀ ଆକଳନ ଅନୁସାରେ, ବର୍ତ୍ତମାନ ସମୟରେ ଦେଶରେ ପାଖାପାଖି ୩ କୋଟି ଲୋକଙ୍କୁ ପେନସନ ଦିଆଯାଉଛି । ଏଥିମଧ୍ୟରୁ ୨.୪୦ କୋଟି ବରିଷ୍ଠ ନାଗରିକ ରହିଥିବା ବେଳେ ୬୦ ଲକ୍ଷ ବିଧବା ମହିଳା ଏବଂ ପାଖାପାଖି ୧୦ ଲକ୍ଷ ଦିବ୍ୟାଙ୍ଗ ସାମିଲ ଅଛନ୍ତି । ସେହିପରି ଭିନ୍ନ ଭିନ୍ନ ରାଜ୍ୟରେ ଏମାନଙ୍କୁ ପ୍ରତିମାସ ୨୦୦ ଟଙ୍କାରୁ ଆରମ୍ଭ କରି ୫୦୦ଟଙ୍କା ପର୍ଯ୍ୟନ୍ତ ପେନସନ ଦିଆଯାଇଥାଏ । କିନ୍ତୁ ଏବେ ସରକାରଙ୍କର ଯୋଜନା ଦ୍ୱାରା ଏମାନ ସମସ୍ତଙ୍କୁ ଅତି କମରେ ୧ ହଜାର ଟଙ୍କା ପେନସନ ଦେବାକୁ ଯୋଜନା ରହିଛି । ଏଥିପାଇଁ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ସାମାଜିକ ଆର୍ଥିକ ଜନଗଣନା ଆଧାରରେ ୪୮ ହଜାର କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ଆସନ୍ତା ୧୫ ଜାନୁଆରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଛନ୍ତି । ଯେଉଁଥିରେ ଏସଂପର୍କରେ ଆଲୋଚନା ହେବ । ଚର୍ଚ୍ଚା ହେଉଛି କି, ଏହି ବୈଠକରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟର ସେୟାର ୫୦-୫୦ ପ୍ରତିଶତ କରିବା ଉପରେ ସହମତି ବନାଇପାରନ୍ତି । ତେବେ ଏହି ବର୍ଦ୍ଧିତ ପେନସନ ୧ ଏପ୍ରିଲ ୨୦୧୯ରୁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା କେନ୍ଦ୍ର ଉପରେ ପ୍ରତିବର୍ଷ ପାଖାପାଖି ୫୦ ହଜାର କୋଟିର ଅତିରିକ୍ତ ଭାର ପଡିବ ।