ଶ୍ରୀମନ୍ଦିରରେ ଅବ୍ୟବସ୍ଥାକୁ ନେଇ ବିଜେପି ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ ! ପ୍ରଶ୍ନ କଲେ, ଦୁଇଟି ସରକାରରେ ବିଜେପିର ଥିଲେ ଆଇନ ମନ୍ତ୍ରୀ , ହେଲେ କଣ ନେଇଥିଲେ ପଦକ୍ଷେପ

42

କନକ ବ୍ୟୁରୋ : ବିଜେପି ବନାମ ଶଙ୍କରାଚାର୍ଯ୍ୟ । ଭାରତୀୟ ଜନତା ପାର୍ଟି ବିରୋଧରେ ବର୍ଷିଲେ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ବିଜେଡି-ବିଜେପି ମେଂଟ ସରକାରରେ ଦୀର୍ଘ ୯ ବର୍ଷ ଧରି ବିଜେପିର ଆଇନ ମନ୍ତ୍ରୀ ରହିଥିଲେ ମଧ୍ୟ, ଶ୍ରୀମନ୍ଦିରରେ ଅବ୍ୟବସ୍ଥା ଦୂର କରିବାକୁ କି ପଦକ୍ଷେପ ନେଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ଏଭଳି ଆକ୍ଷେପ ପରେ ଚିହିଁକି ଉଠିଛନ୍ତି ତତ୍କାଳୀନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀମନ୍ଦିର ପରିଚାଳନାରେ ଆସିଥିବା ସମସ୍ତ ସଂସ୍କାର ତାଙ୍କରି ସମୟରେ ହିଁ ହୋଇଥିଲା ବୋଲି ମନେପକାଇ ଦେଇଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ।

ଶ୍ରୀମନ୍ଦିର ପରିଚାଳନାରେ ବିଭିନ୍ନ ଅବ୍ୟବସ୍ଥା ନେଇ ବାରମ୍ବାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କରିଆସୁଥିବା ପୁରୀ ଶଙ୍କରାଚାର୍ଯ୍ୟ ପ୍ରଥମଥର ଲାଗି ବିଜେପିକୁ ପଚାରିଛନ୍ତି ପ୍ରଶ୍ନ । ବିଜେଡି ସହ ଭାରତୀୟ ଜନତା ପାର୍ଟି ୯ବର୍ଷ ମେଂଟ ସରକାରରେ ଥିଲା । ଆଉ ବିଜେପି ନେତା ହିଁ ଆଇନ ମନ୍ତ୍ରୀ ଥିଲେ । ତେଣୁ ଶ୍ରୀମନ୍ଦିରରେ ଲାଗିରହିଥିବା ଅରାଜକତା ଦୂର କରିବାକୁ ବିଜେପି ଓ ଏହାର ନେତା କି ପଦକ୍ଷେପ ନେଇଛନ୍ତି ବୋଲି ସିଧାସଳଖ ଆକ୍ଷେପ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଯହାକୁ ନେଇ ଚିହିଁକି ଉଠିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ।

ବିଶ୍ୱଭୂଷଣ କହୁଛନ୍ତି ଶ୍ରୀମନ୍ଦିର ପରିଚାଳନାରେ ଆସିଥିବା ସମସ୍ତ ସଂସ୍କାର ତାଙ୍କରି ଅମଳରେ ହୋଇଛି । ତାଙ୍କ କାର୍ଯ୍ୟକାଳରେ କୌଣସି ବଡ ବିଶୃଙ୍ଖଳା ହୋଇନଥିଲା । ତେଣୁ ଶଙ୍କରାଚାର୍ଯ୍ୟଙ୍କ ଆକ୍ଷେପକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଏହି ବରିଷ୍ଠ ବିଜେପି ନେତା ।