ସର୍ମ୍ପକର ପରିଭାଷା ବଦଳିଲା, ପ୍ରତିଦ୍ୱନ୍ଦ୍ୱୀ ବନ୍ଧୁ ପାଲଟିଲା! ବିରୋଧୀକୁ ସମର୍ଥନ ବଦଳରେ ଶାସକ ଦଳକୁ ମିଳିବ କଣ?

280

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ଷଡଙ୍ଗୀଙ୍କୁ ବିଜେଡି ସମର୍ଥନ କରିବା ପରେ ରାଜନୀତି ସରଗରମ ରହିଛି । ବିରୋଧୀ ଦଳର ଜଣେ ପ୍ରାର୍ଥୀଙ୍କୁ ଶାସକ ଦଳ ସମର୍ଥନ କରିବା ପଛରେ କଣ ବୁଝାମଣା ହୋଇଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେପଟେ ବିଜେପି କହିଛି, ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଜେପିକୁ ସମର୍ଥନ ଦେଇଛି ବିଜେଡି । ଏହାର ମାନେ ନୁହେଁ ଯେ, ଦୁଇ ଦଳ ଭିତରେ ସମ୍ପର୍କ ବାନ୍ଧି ହୋଇଛି ।

ବିଜେପି- ବିଜେଡି ମଧ୍ୟରେ କୌଣସି ଗୁପ୍ତ ବୁଝାମଣା ହୋଇନାହିଁ, ବରଂ ଖୋଲା ବୁଝାମଣା ହୋଇଛି । କିନ୍ତୁ କଣ ବୁଝାମଣା ହୋଇଛି, ତାହା ବୁଝାଇବା ଉଭୟ ଦଳଙ୍କ ପାଇଁ କଷ୍ଟକର ହୋଇପଡିଛି । ଧର୍ମେନ୍ଦ୍ରଙ୍କ ଏହି ବୟାନ ସଂକେତ ଦେଉଛି ଯେ, ରାଜ୍ୟର ବିକାଶ ପାଇଁ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛି ବିଜେଡି । କିନ୍ତୁ ପୂର୍ବରୁ ଯେଉଁଭଳି ଉଭୟ ଦଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତପାର୍ଥକ୍ୟ ରହିଥିଲା ସେଥିରେ କୌଣସି ବନ୍ଧ ବାନ୍ଧି ହୋଇନାହିଁ ।

ଏଭଳି ଏକ ସମ୍ପର୍କକୁ କଣ ନାଁ ଦେବେ କିମ୍ବା କେମିତି ଲୋକଙ୍କ ଆଗରେ ଉପସ୍ଥାପନ କରିବେ, ତାହା ଉଭୟ ଦଳଙ୍କ ପାଇଁ ସେତେ ସହଜ ନୁହେଁ । ଏପରିକି ବିଜେଡି ସମର୍ଥନ ଦେଇ ନା କୌଣସି ଯୁକ୍ତି ରଖିପାରୁଛି, ନା ବିଜେପି ସମର୍ଥନ ବଦଳରେ ଧନ୍ୟବାଦ ଦେଇପାରୁଛି । ତେବେ ରାଜ୍ୟର ବିକାଶ ପାଇଁ ଏହି ସମର୍ଥନ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଏହା କାହାକୁ ଫାଇଦା ଦେବ, ବିଜେପି, ବିଜେଡି ନା ଓଡିଶା, ଏଭଳି ଅନେକ ପ୍ରଶ୍ନ ଉଠୁଛି । ଆଉ ତାଭିତରେ କଂଗ୍ରେସ ବି ପ୍ରଶ୍ନର ବାଣ ମାରିଛି । ଲୁଚା ଛପାରେ ଚୋରି ହୋଇଥାଏ, ଖୋଲାରେ ଡକାୟତି ହୋଇଥାଏ । ତେଣୁ ଏହି ବୁଝାମଣା କଣ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ରବିବାର, ବିଜେଡିର ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡିଶା ସରକାର, କେନ୍ଦ୍ର ସରକାରର ସହଯୋଗ କାମନା କରୁଛି । ଏହାପୂର୍ବରୁ ଦିଲ୍ଲୀରେ ୧୯ ତାରିଖ ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସହ ଗିଭ ଆଣ୍ଡ ଟେକ୍ ଅର୍ଥାତ୍, ଦିଆ ଓ ନିଆର କଥା ଉଠାଇଥିଲେ । ବିଜେପି ସଦସ୍ୟଙ୍କୁ ବିଜେଡିର ଏହି ସମର୍ଥନ ପଛରେ ଏହି ଦିଆନିଆର ସମ୍ପର୍କ ରହିଛି କି ନାହିଁ, ତାହା ତ ସ୍ପଷ୍ଟ ନୁହେଁ, କିନ୍ତୁ ଆଗକୁ ଓଡିଶା ରାଜନୀତିରେ କଣ ସମୀକରଣ ସୃଷ୍ଟି ହେଉଛି, ତାଉପରେ ସମସ୍ତଙ୍କ ନଜର ରହିଛି ।