୩ ବର୍ଷରେ ତିଆରି ହୋଇଛି ମାତ୍ର ୧୬ ପ୍ରତିଶତ ପକ୍କା ଘର, ଅଧାରେ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ପୂରଣ ହୋଇପାରିବ କି ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ?
କନକ ବ୍ୟୁରୋ : ମୋଦି ସରକାରଙ୍କ ଶାସନକାଳକୁ ୪ ବର୍ଷ ପୁରି ସାରିଛି । ହେଲେ ମୋଦି ସରକାରଙ୍କ ଶାସନ କାଳ ଭିତରେ ସେ ଦେଇଥିବା ଅନେକ ପ୍ରତିଶ୍ରୁତି ପୁରଣ ହୋଇପାରିନିି । ଶାସନକୁ ଆସିବା ପରେ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆରମ୍ଭ କରିଥିଲେ । ତେବେ କାର୍ଯ୍ୟକାଳ ଭିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ମଞ୍ଜୁର ହୋଇଥିବା ପକ୍କା ଘର ମଧ୍ୟରୁ ମାତ୍ର ୧୬ ପ୍ରତିଶତ ତିଆରି ହୋଇପାରିଛି । ତେବେ ଏହି ଯୋଜନା ପାଇଁ ମୋଦି ଦେଇଥିବା ପ୍ରତିଶ୍ରୁତି ଉପରେ ଏବେ ପ୍ରଶ୍ନ ଉଠୁଛି । ପ୍ରଶ୍ନ ଉଠୁଛି ଆଉ ମାତ୍ର ୬ ମାସ ଭିତରେ ମୋଦି ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିବେ କି ? ନା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ସହରର ପ୍ରତ୍ୟେକ ଗରିବଙ୍କୁ ପକ୍କା ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ସରକାର । ଯୋଜନା ଅନୁସାରେ ୨୦୨୨ ସୁଦ୍ଧା ସହରୀ ଗରିବଙ୍କ ପାଇଁ ୧କୋଟି ପକ୍କା ଘର ଯୋଗାଇ ଦେବେ ବୋଲି କହିଥିିଲେ ସରକାର । ବିଗତ ୩ ବର୍ଷରେ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଂଚଳ ପାଇଁ ୫୪ ଲକ୍ଷ ପକ୍କା ଘର ତିଆରି କରିବା ପାଇଁ ମଞ୍ଜୁରି ପ୍ରଦାନ କରିଥିଲେ ମୋଦି ସରକାର । କିନ୍ତୁ ଏବେ ପର୍ଯ୍ୟନ୍ତ ପାଖାପାଖି ୯ ଲକ୍ଷ ଘର ହିଁ ତିଆରି ହୋଇପାରିଛି ।
PMAY ୱେବସାଇଟ୍ ଅନୁସାରେ ମଧ୍ୟପ୍ରଦେଶ ଓ ଗୁଜରାଟରେ ଏହି ଯୋଜନା ଲାଗୁ କରିବା ମାମଲାରେ ପ୍ରଥମରେ ଅଛନ୍ତି । ମଧ୍ୟପ୍ରଦେଶ ପାଖାପାଖି ୧,୩୩୬୬୩ ପକ୍କା ଘର ତିଆରି ହୋଇଛି । ଏହାପରେ ଗୁଜରାଟରେ ୧,୨୦୭୬୬ ପକ୍କା ଘର ଓ ମହାରାଷ୍ଟ୍ରରେ ୯୩,୩୭୦ ପକ୍କା ଘର ତିଆରି ହୋଇଛି ।
ସୂଚନାଯୋଗ୍ୟ ୨୫ ଜୁନ୍ ୨୦୧୫ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଯୋଜନା ଅନୁସାରେ ସରକାର ଲୋକଙ୍କୁ ଘର କିଣିବା ପାଇଁ କିମ୍ବା ଭଙ୍ଗା ଦରଦରା ଘରର ସ୍ଥିତି ସୁଧାରିବା ପାଇଁ କିମ୍ବା ପୁରୁଣା ଘରେ ନୂଆ ବଖରା ଯୋଡ଼ିବା ପାଇଁ ସହଯୋଗ କରାଯାଏ ।