ବଢ଼ୁଛି ରାଜନୈତିକ ବିବାଦ ! ଭାରତୀୟ ସରକାରୀ ୱେବସାଇଟକୁ ବ୍ଲକ କଲା ପାକିସ୍ତାନ

36

କନକ ବ୍ୟୁରୋ : ଭାରତ ସରକାରଙ୍କ ସମସ୍ତ ସରକାରୀ ୱେବସାଇଟକୁ ବ୍ଲକ କରିଛି ପାକିସ୍ତାନ । ଉଭୟ ଦେଶ ହାଇକମିସନଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ ଆଣିଥିବା ବେଳେ ଏହି ଖବର ପଦାକୁ ଆସିଛି । ମେ ୨୦୧୭ରୁ ଭାରତର ଗଭ୍ ଡଟ୍ ଇନ ଡୋମେନ ଥିବା ସବୁ ଭାରତୀୟ ସରକାରୀ ୱେବସାଇଟକୁ ବ୍ଲକ କରି ରଖିଛି ପଡୋଶୀ ରାଷ୍ଟ୍ର । ଏନେଇ ଭାରତ ନୋଟିସ ଦେବା ପରେ ୱେବସାଇଟ ବ୍ଲକ ଅଭିଯୋଗକୁ ପାକିସ୍ତାନ ଅସ୍ୱୀକାର କରିଛି । ଆଉ ଏହାକୁ ନେଇ ମାର୍ଚ୍ଚ ୧୯ରୁ ଦିଲ୍ଲୀରେ ହେବାକୁ ଥିବା ୱାର୍ଲଡ ଟ୍ରେଡ ଅର୍ଗାନାଇଜେସନର ବୈଠକରେ ସାମିଲ ହେବନି ବୋଲି ପାକିସ୍ତାନ ସ୍ପଷ୍ଟ କରିଛି । ତେବେ ପାକିସ୍ତାନର ଉଦ୍ଦେଶ୍ୟ ହେଉଛି ସେଠାରେ ଥିବା ଭାରତୀୟ ଅଧିକାରୀଙ୍କୁ ଭାରତର ୱେବସାଇଟ ଠାରୁ ଦୂରେଇ ରଖିବା ବୋଲି ଚର୍ଚ୍ଚା ହେଉଛି ।

ଭାରତୀୟ ଅଧିକାରୀଙ୍କ ସୂଚନା ଅନୁସାରେ ପାକିସ୍ତାନରେ ଥିବା ଭାରତୀୟ ଅଧିକାରୀ ନିଜ ଦେଶର ୱେବସାଇଟକୁ ଦେଖିନପାରନ୍ତୁ, ଏହା ତାଙ୍କର ମୂଳ ଉଦ୍ଦେଶ୍ୟ । ତେବେ ଏନେଇ ଅନେକ ଅଭିଯୋଗ ଆସିଛି । ଯଦ୍ୱାରା ପାକିସ୍ତାନୀ ନାଗରିକ ମାନେ ମଧ୍ୟ ଅସୁବିଧା ଭୋଗୁଛନ୍ତି ଓ ଭାରତୀୟ ଭିସା ଫର୍ମ ଡାଉନଲୋଡ଼୍ କରିପାରୁ ନାହାନ୍ତି ।