ଜିଦରେ ଅଟଳ ମୁକ୍ତିକାନ୍ତ : ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜାରି ରଖିବେ ଅନଶନ

30

କନକ ବ୍ୟୁରୋ : ଅନଶନ ଜାରି ରଖିବେ ମୁକ୍ତିକାନ୍ତ ବିଶ୍ୱାଳ । ପ୍ରଧାନମନ୍ତ୍ରୀ ମୋଦିଂକୁ ଭେଟି ପ୍ରତିଶ୍ରୁତି କଥା ମନେ ପକାଇ ନଦେବା ପର୍ଯ୍ୟନ୍ତ ଅନଶନ ଜାରି ରଖିବେ ବୋଲି କହିଛନ୍ତି ମୁକ୍ତିକାନ୍ତ । ନିଜେ ଜାରି କରିଥିବା ଏକ ଭିଡିଓରେ ସେ ଏହା କହିଛନ୍ତି । ଗତକାଲି ଅନଶନସ୍ଥଳରୁ ମୁକ୍ତିକାନ୍ତଙ୍କୁ ଉଠାଇ ନେଇଥିଲା ଦିଲ୍ଲୀ ପୁଲିସ । ପରେ ଅବଶ୍ୟ ତାଙ୍କୁ ପୁଲିସ୍ ଛାଡ଼ି ଦେଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଦାବିରେ ଅନଶନ କରୁଛନ୍ତି ରାଉରକେଲାର ମୁକ୍ତିକାନ୍ତ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରାୟ ୧୬ଶହ କିଲୋମିଟର ସେ ଚାଲି ଚାଲି ଯାଇଛନ୍ତି । ରାଉରକେଲାରେ ବ୍ରହ୍ମଣୀ ପୋଲ ନିର୍ମାଣ ଏବଂ ଆଇଜିଏଚକୁ ସୁପରସ୍ପେଶାଲିଟି ହସ୍ପିଟାଲ କରିବା ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ମନେପକାଇଦେବା ତାଙ୍କର ଏହି ଅଭିଯାନର ଉଦ୍ଦେଶ୍ୟ । ପୂର୍ବରୁ ଚିଠିଲେଖି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଅନୁମତି ମାଗିଥିଲେ ମୁକ୍ତିକାନ୍ତ । ହେଲେ କୌଣସି ପ୍ରତିକ୍ରିୟା ନଆସିବାରୁ ଦିଲ୍ଲୀରେ ସେ ଅନଶନ ଚଳାଇଛନ୍ତି ।

ଉଳ୍ଲେଖଯୋଗ୍ୟ, ବ୍ରାହ୍ମଣୀ ପୋଲ ଓ ରାଉରକେଲା ଆଇଜିଏଚ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଅଡି ବସିଛନ୍ତି ମୁକ୍ତିକାନ୍ତ । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ନହେଲେ ଅନଶନ କରିବେ ବୋଲି ସେ ପୂର୍ବରୁ ଚେତାବନୀ ଦେଇଥିଲେ । ରାଉରକେଲାର ଏହି ଯୁବକଙ୍କୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ସରଗରମ ହୋଇଛି ରାଜନୀତି । ମୋଦି ଓ ତାଙ୍କ ମନ୍ତ୍ରୀଙ୍କ ଚିନ୍ତା ବଢାଇ ଦେଇଛନ୍ତି ମୁକ୍ତିକାନ୍ତ । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ଓ ରାଉରକେଲା ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହା ପୂରଣ ନହେବାରୁ ପାଖାପାଖି ୧୬୦୦ କିଲୋମିଟର ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଦିଲ୍ଲୀରେ ପହଁଚିଥିଲେ ମୁକ୍ତିକାନ୍ତ । କିନ୍ତୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମୁକ୍ତିକାନ୍ତ ଭେଟିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ କରାଇବାକୁ ସେ ସିଧାସଳଖ ମନା କରି ଦେଇଥିଲେ । ଏହାଛଡ଼ା ମୁକ୍ତିକାନ୍ତଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସମର୍ଥନ କରିଛନ୍ତି । ତେଣୁ ମୁକ୍ତିକାନ୍ତଙ୍କୁ ଉଠାଇ ନେବା ପରେ ଏବେ ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଦେଖିବାକୁ ମିଳିଛି ।