ଡୋକଲାମ୍ ବିବାଦ ଭିତରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ : କହିଲେ, ଯେ କୌଣସି ଶକ୍ତିର ମୁକାବିଲା ପାଇଁ ଭାରତ ସକ୍ଷମ

42

କନକ ବ୍ୟୁରୋ : ଡୋକଲାମ ସୀମାରେ ଚୀନ ସହ ଉତେଜନା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେକୌଣସି ବାହ୍ୟ ଶତ୍ରୁର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି । ଦେଶର ସୁରକ୍ଷା ପାଇଁ ସେନା ସବୁବେଳେ ପ୍ରସ୍ତୁତ ଅଛି । ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବା ପରେ ଦେଶବାସୀଙ୍କୁ ମୋଦିଙ୍କ ଏହି ବାର୍ତା ବେଶ ଗୁରୁତ୍ୱ ରଖୁଛି ।

ପଡୋଶୀ ଚୀନ ସହ ସୀମା ବିବାଦ ଏକ ଅନିଶ୍ଚିତତା ଆଡକୁ ମୁହାଁଇଥିବାବେଳେ ସ୍ୱାଧୀନତା ଦିବସରେ ମୋଦିଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର ରହିଥିଲା । କାରଣ ଚୀନର ସରକାରୀ ଗଣମାଧ୍ୟମ ଓ ତାଙ୍କର ପ୍ରତିରକ୍ଷା ବିଭାଗ ଭାରତକୁ ସେନା ହଟାଇବାକୁ ଚେତାବନୀ ଦେଇଆସୁଛି । ତେବେ ଭାରତ ସଂଯମତା ରକ୍ଷା କରି ମାପିଚୁପି ମନ୍ତବ୍ୟ ରଖୁଛି । ଆଉ ସ୍ୱାଧୀନତା ଦିବସରେ ସବୁ ବିଶିଷ୍ଟ ଅତିଥୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଦେଶାବାସୀଙ୍କୁ ଉଦବୋଧନ ଦେଇ ଦେଶର ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, ଯେକୌଣସି ବାହ୍ୟ ଶତ୍ରୁର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି ।

ସିକିମ୍ ସୀମା ନିକଟସ୍ଥ ଭୁଟାନର ଡୋକଲାମରେ ଭାରତୀୟ ସେନା ଓ ଚୀନ ସେନା ଏକପ୍ରକାର ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ସୀମା ଉପରେ ରାସ୍ତା ତିଆରି ପାଇଁ ଚୀନର ଉଦ୍ୟମକୁ ଭାରତ ବିରୋଧ କରିଆସୁଛି । ଏସବୁ ଭିତରେ ଗତ ଶୁକ୍ରବାର ଦିନ ଭାରତୀୟ ସେନା ଓ ଚୀନର ପିପୁଲ୍ସ ଲିବରେସନ ଆର୍ମି ଭିତରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ହୋଇପାରି ନାହିଁ । ବୈଠକ ପାଇଁ ଭାରତୀୟ ସେନାର ଅଧିକାରୀମାନେ ପ୍ରସ୍ତୁତ ଥିବାବେଳେ ଚୀନ ସେନାର ଅଧିକାରୀମାନେ କୌଣସି ଆଗ୍ରହ ଦେଖାଇ ନଥିବା ଜଣାପଡିଛି ।