‘ଭାରତର ଭୂସ୍ୱର୍ଗ ବିକାଶର ଶିଖର ଛୁଇଁବ’

ଭାରତର ଭୂସ୍ୱର୍ଗ ପୁଣି ବିକାଶର ଶିଖର ଛୁଇଁବ ବୋଲି ଶ୍ରୀ ମୋଦୀ ପ୍ରକାଶ କରି କହିଲେ ଯେ, କଶ୍ମୀର ଉପତ୍ୟକାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ ଯଦ୍ୱାରା ରୋଜଗାରର ପ୍ରଭୁତ ସୁଯୋଗ ସୃଷ୍ଟି ହେବ । ଏହା ଫଳରେ ଘାଟୀ ଅଞ୍ଚଳରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।

134

ସମ୍ବିଧାନର ୩୭୦ଧାରା ଉଚ୍ଛେଦ ହେବା ପରେ ଜମ୍ମ-କଶ୍ମୀର ଓ ଲଦାଖବାସୀ ବଞ୍ଚିତ ହେଉଥିବା ଅନେକ ସୁବିଧା ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଧାରା ୩୭୦ ଓ ୩୫(କ) ଏବେ ଇତିହାସ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସଂନ୍ଧ୍ୟାରେ ଦେଶବାସୀଙ୍କୁ ଦେଇଥିବା ଏକ ବାର୍ତ୍ତାରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଧାରା ୩୭୦ ଓ ୩୫(କ) ଉଚ୍ଛେଦ ହେବା ପରେ ଜମ୍ମ-କଶ୍ମୀର ଓ ଲଦାଖରେ ଝିଅମାନେ ବଞ୍ଚିତ ହେଉଥିବା ଅନେକ ସୁବିଧା ସୁଯୋଗ ପାଇବେ । ଦଳିତମାନଙ୍କୁ ଏବଂ ସଂଖ୍ୟାଲଘୁମାନଙ୍କୁ ଅତ୍ୟାଚାର ବିରୋଧରେ ଆଇନର ପରିସର ଭିତରକୁ ଜମ୍ମ-କଶ୍ମୀର ଓ ଲଦାଖବାସୀ ଆସିବେ । ସେହିପରି ସର୍ବନିମ୍ନ ମଜୁରୀ ଆଇନ ଏଠାରେ ଲାଗୁ ହେବ । ଅନୁସୂଚିତ ଜାତି ଓ ଉପଜାତିର ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାନ ସଂରକ୍ଷଣ ଆଇନର ସୁବିଧା ମଧ୍ୟ ଜମ୍ମୁ-କଶ୍ମୀର ଓ ଲଦାଖବାସୀ ପାଇବେ । ଜମ୍ମ-କଶ୍ମୀର ଓ ଲଦାଖରୁ ୩୭୦ଧାରା ଉଚ୍ଛେଦ ଏବଂ ରାଜ୍ୟ ପୁର୍ନଗଠନ ପରେ ରାଜ୍ୟର କର୍ମଚାରୀ ଓ ପୁଲିସ ପରିବାରକୁ ଅନ୍ୟ କେନ୍ଦ୍ର ଶାସିତ ରାଜ୍ୟରେ ମିଳୁଥିବା ସୁବିଧା ସୁଯୋଗ ଯଥା; ଏଲ.ଟି.ସି ଏବଂ ଶିକ୍ଷାଗତ ଛାତ୍ରବୃତ୍ତି ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏବେ ଭାରତର ଭୂସ୍ୱର୍ଗ ପୁଣି ବିକାଶର ଶିଖର ଛୁଇଁବ ବୋଲି ଶ୍ରୀ ମୋଦୀ ପ୍ରକାଶ କରି କହିଲେ ଯେ, କଶ୍ମୀର ଉପତ୍ୟକାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ ଯଦ୍ୱାରା ରୋଜଗାରର ପ୍ରଭୁତ ସୁଯୋଗ ସୃଷ୍ଟି ହେବ । ଏହା ଫଳରେ ଘାଟୀ ଅଞ୍ଚଳରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ସେ ଦେଶର ଚଳଚ୍ଚିତ୍ର ନିର୍ମାତା ଏବଂ ଅନ୍ୟ ଶିଳ୍ପପତିମାନଙ୍କୁ ଜମ୍ମୁ-କଶ୍ମୀରରେ ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ ଓ ପୁଞ୍ଜିଲଗାଣ କରିବାକୁ ଆହ୍ଵାନ ଦେଇଥିଲେ । ସୌର ଶକ୍ତିର ବିନିଯୋଗ ଦ୍ୱାରା ବିକାଶ ପାଇଁ ଲଦାଖ ଏକ ପ୍ରକୃଷ୍ଟ ସ୍ଥାନ ବୋଲି ସେ କହିଥିଲେ ।

ଜମ୍ମୁ-କଶ୍ମୀରର ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ନବ ପ୍ରତିଷ୍ଠିତ ଶିଳ୍ପ ପ୍ରକଳ୍ପ ସାଂଗକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା, କେନ୍ଦ୍ର ସରକାରଙ୍କ ଅଧିନସ୍ଥ ରାଷ୍ଟ୍ରାୟତ୍ତ ସଂସ୍ଥା, ସେନା ବାହିନୀ ଏବଂ ଅର୍ଦ୍ଧସାମରିକ ବାହିନୀରେ ସେମାନେ ନିଯୁକ୍ତି ସୁଯୋଗ ପାଇବେ । ପ୍ରଧାନମନ୍ତ୍ରୀ ନିଯୁକ୍ତି ଯୋଜନାରେ ମଧ୍ୟ ସେମାନେ ଲାଭ ଉଠାଇପାରିବେ ବୋଲି ସେ କହିଥିଲେ ।