କଳିଙ୍ଗ ଇତିହାସର ବର୍ଣ୍ଣନା ହେବ ବିନ୍ଦୁସାଗରରେ ଲେଜର ସୋ’ ଓ ଶଦ୍ଦ ମାଧ୍ୟମରେ । ଗତକାଲିଠାରୁ ପରୀକ୍ଷା ମୂଳକ ଭାବେ ହେଲା ଆରମ୍ଭ

11

କନକ ବ୍ୟୁରୋ : ଶିଶୁପାଳଗଡ଼ର ଇତିହାସରୁ ଆରମ୍ଭ କରି ଖଣ୍ଡଗିରି ଓ ଉଦୟଗିରିର ପ୍ରସ୍ତର କଳା, ପ୍ରଭୁ ଲିଙ୍ଗରାଜଙ୍କ ବିଭିନ୍ନ ପର୍ବପର୍ବାଣୀ, ଐତିହ୍ୟ କ୍ଷେତ୍ରର ମାହାତ୍ମ୍ୟକୁ ଆଲୋକ ଓ ଶବ୍ଦ ମାଧ୍ୟମରେ ପର୍ଯ୍ୟଟକଙ୍କ ଆଗରେ ଉପସ୍ଥାପନ କରାଯିବ। ରାଜଧାନୀରେ ସଂଧ୍ୟା ବିତାଉଥିବା ପର୍ଯ୍ୟଟକ ଯେପରି କଳିଙ୍ଗ ଇତିହାସ ସମ୍ପର୍କରେ ଖୁବ୍ କମ୍ ସମୟରେ ଜାଣିପାରିବେ ସେଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଐତିହ୍ୟ ପୁଷ୍କରିଣୀ ବିନ୍ଦୁସାଗରରେ ଆରମ୍ଭ ହେବାକୁ ଯାଉଛି ‘ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’। ଏହା ସହ ମଲଟିମିଡିଆ ଲେଜର୍ ସୋ’ ମଧ୍ୟ ହେବ। ଏଥିପାଇଁ ଏହାକୁ ପରୀକ୍ଷାମୂଳକ ଭାବେ ଚାଲୁ କରାଯାଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରାୟ ୯ କୋଟି ଟଙ୍କାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏବେ ପର୍ଯ୍ୟଟକମାନେ ମଲଟିମିଡିଆ ଲେଜର୍ ସୋ’ ଦେଖିବାକୁ ପାଇବେ। ଆଲୋକର ଖେଳ ସହ ମହାଦେବଙ୍କ ସ୍ତୁତି ଗାନ, ଶ୍ଲୋକରେ ପୁରୁଣା ଭୁବନେଶ୍ବର ପୂରା କମ୍ପି ଉଠିବ। ଶୈବ କ୍ଷେତ୍ରରେ ଶିବଙ୍କ ନାମ ଯେପରି ଗୁଞ୍ଜି ଉଠିବ ସେଥିପାଇଁ ପର୍ଯ୍ୟଟନ ବିଭାଗ ସବୁ ପ୍ରକାରର ବ୍ୟବସ୍ଥା କରିିଛି।

 

ଖୁବଶୀଘ୍ର ବିନ୍ଦୁସାଗରରେ ଆଲୋକ ଓ ଶବ୍ଦର ସୋ’ ଆରମ୍ଭ ହେବାକୁ ଥିବା ବେଳେ ଏହାର ସ୍କ୍ରିପ୍ଟ ଚୂଡ଼ାନ୍ତ ହୋଇଛି। ଏବେ ଓଡ଼ିଆ ଓ ଇଂରାଜୀ ଭାଷାରେ ଏହି ସୋ’ ଚଲାଇବାକୁ ଯୋଜନା ହେଉଥିଲେ ହେଁ ଏଥିରେ ଭବିଷ୍ୟତରେ ହିନ୍ଦୀ ଭାଷା ଯୋଡ଼ିବାକୁ ଯୋଜନା ଅଛି। ଏହି ଆଲୋକ ଓ ଶବ୍ଦର ସୋ’ ପାଇଁ କେଉଁ କଳାକାର ସ୍ବର ଦେବେ, କେତେ ମିନିଟର ସୋ’ ହେବ, କ’ଣ କ’ଣ ବିଷୟବସ୍ତୁ କେତେ ମିନିଟର ରହିବ ତାହା ଚୂଡ଼ାନ୍ତ କରିବାକୁ ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ ହୋଇଛି। ଏହି କମିଟିକୁ ଖୁବ୍ ଶୀଘ୍ର ଏହାକୁ ଚୂଡ଼ାନ୍ତ କରିବାକୁ କୁହାଯାଇଛି। କମିଟିର ଅଧ୍ୟକ୍ଷ ଶ୍ରୀ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିନ୍ଦୁସାଗରରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ କରିବାକୁ ପ୍ରିମିୟର ୱାର୍ଲଡ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏହି ସଂସ୍ଥା ସୋ’ର ଡମି ପ୍ରକଳ୍ପ ଆମକୁ ଦେବା ପରେ ଆମେ ଏହାକୁ ଚୂଡ଼ାନ୍ତ କରିବୁ। ଆସନ୍ତା ମାସକ ମଧ୍ୟରେ ଏହା ଚୂଡ଼ାନ୍ତ କରିବାକୁ ଆମେ ଯୋଜନା କରୁଛୁ।

 

ଆଜି ସଂଧ୍ୟାରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମସି ମେୟର ଅନନ୍ତ ନାରାୟଣ ଜେନା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ପୂର୍ବତନ ପର୍ଯ୍ୟଟନ ନିର୍ଦେଶକ ଭାନୁଦାସ ଜାୱଲେ, ପି.କେ ପଣ୍ଡା, ପର୍ଯ୍ୟଟନ ଅଧିକାରୀ ଅଜୟ ରାଉତ ଓ ସ୍ଥାନୀୟ କର୍ପୋରେଟରଙ୍କ ଉପସ୍ଥିତିରେ ଏହି ପରୀକ୍ଷାମୂଳକ ସୋ’ ହୋଇଥିଲା। ସୂଚନାଯୋଗ୍ୟ ଯେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟ ଇଡକୋକୁ ଦିଆଯାଇଥିବା ବେଳେ ଇଡକୋ ପକ୍ଷରୁ ଡକାଯାଇଥିବା ଟେଣ୍ଡର ପ୍ରିମିୟର ୱାର୍ଲଡ ସଂସ୍ଥା ପାଇଥିଲା। ପ୍ରାୟ ୯କୋଟି ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପ ହୋଇଛି। ଏହି ପ୍ରକଳ୍ପର ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ଏହି ସଂସ୍ଥାକୁ ଦିଆଯାଇଛି। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହି ମଲଟିମିଡିଆ ଲେଜର୍ ସୋ’, ଆଲୋକ ଓ ଶବ୍ଦର ସୋ’ ସମେତ ପର୍ଯ୍ୟଯନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ମାର୍କେଟ କମ୍ଲେକ୍ସ, ନବନିର୍ମିତ ଯାତ୍ରୀ ନିବାସକୁ ଉଦଘାଟନ କରିବେ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

Comments are closed.