କଳାକାରଙ୍କ ଦୀପାବଳୀ : କେହି ସୁଟିଂସେଟରେ ତ ଆଉ କିଏ ଘରେ ପାଳନ୍ତି ଦୀପାବଳୀ ।

91

ବ୍ୟସ୍ତବହୁଳ ଜୀବନରୁ ବିରତି ନେବା ସମୟ ହେଉଛି ବିଭିନ୍ନ ପର୍ବପର୍ବାଣୀ । ବଲିଉଡ୍ କଳାକାରମାନେ ମଧ୍ୟ ଦୀପାବଳୀକୁ ଧୁମଧାମରେ ପାଳନ କରନ୍ତି । ତେବେ ଆସନ୍ତୁ ଏଭଳି କିଛି କଳାକାରଙ୍କ ଉପରେ ନଜର ପକାଇବା ।

ଅର୍ଜ୍ଜୁନ କପୁର : ଅଭିନେତା ଅର୍ଜ୍ଜୁନ କପୁରଙ୍କ କହିବାନୁସାରେ ଦୀପାବଳୀ ହେଉଛି ଏଭଳି ଏକ ଦିନ ଯେଉଁଥିରେ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ଏକତ୍ରିତ ହୋଇଥାନ୍ତି । ପରିବାରର ସବୁ ସଦସ୍ୟ ବସି ଲକ୍ଷ୍ମୀପୂଜାରେ ସାମିଲ ହୁଅନ୍ତି । ପରେ ମିଠେଇ ଖାଇ ସମସ୍ତେ ଏକତ୍ରିତ ହୋଇ କଥାବାର୍ତ୍ତା କରି ମଜା କରିଥାନ୍ତି । ଘରେ ପିଲାବେଳେ ସବୁ ଭାଇ-ଭଉଣୀ ମିଶି ବାଣ ଫୁଟାଉଥିଲୁ । କିନ୍ତୁ ଏବେ ପ୍ରଦୂଷଣ କାରଣରୁ ବାଣ ଫୁଟାଉନାହୁଁ ।

ଶ୍ରଦ୍ଧା କପୁର : ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ କହିବାନୁସାରେ ଘରେ ଏକ ସପ୍ତାହ ପୂର୍ବରୁ ହିଁ ଦୀପାବଳୀ ପାଇଁ ସଫେଇ ଏବଂ ସାଜସଜ୍ଜା ଆରମ୍ଭ ହୋଇଯାଏ । ପିଲାବେଳେ ମୁଁ ମୋ ଭାଇ ଭଉଣୀମାନଙ୍କ ସହ ମିଶି ଖୁବ୍ ମଜା କରୁଥିଲି,ଯାହା ଏବେ ହୋଇପାରୁନାହିଁ । ଏବେ କେବଳ ପୂଜାରେ ହିଁ ସାମିଲ ହୋଇପାରୁଛି । ସୁଟିଂ କାରଣରୁ ବ୍ୟସ୍ତରେ ରହୁଛି ଏବଂ ବେଳେବେଳେ ସୁଟିଂ ସେଟରେ ହିଁ ପ୍ରଡକସନ୍ ଟିମ୍ ସହ ମିଶି ଦୀପାବଳୀ ପାଳନ କରେ ।

ଦୀପିକା ପାଦୁକୋନ୍ : ଲୋକପ୍ରିୟ ନାୟିକା ଦୀପିକା ପାଦୁକୋନଙ୍କ କହିବାନୁସାରେ ପିଲାବେଳେ ମୁଁ ବାପା-ମା’ ଏବଂ ଭଉଣୀଙ୍କ ସହ ବାଙ୍ଗାଲୋରରେ ରହୁଥିଲି । ମୋତେ ଦକ୍ଷିଣ ଭାରତୀୟ ମିଠେଇ ଖୁବ୍ ପସନ୍ଦ ଯାହା ଦୀପାବଳୀରେ ମା’ ପ୍ରସ୍ତୁତ କରୁଥିଲେ । ଏହାପରେ ବାଣ ଏବଂ ଅତିଥିଙ୍କ ଉପହାରରେ ମୁଁ ଖୁବ୍ ଖୁସି ହୋଇଯାଉଥିଲି । ବର୍ତ୍ତମାନ ଏହା ସମ୍ଭବ ହୋଇପାରୁନାହିଁ । ଜୀବନ ଖୁବ୍ ବ୍ୟସ୍ତବହୁଳ ହୋଇଗଲାଣି । ତଥାପି ଚେଷ୍ଟା କରେ କିଭଳି ପର୍ବପର୍ବାଣୀ ଦିବସରେ ପରିବାର ସହ ରହିବି ।

ରବିନା ଟଣ୍ଡନ : ମୁଁ ବାଣକୁ ପିଲାବେଳେ ଫୁଟାଇବାକୁ ଭଲ ପାଉଥିଲି କିନ୍ତୁ କିଛି ବର୍ଷ ହେବ ଆଉ ବାଣ ଫୁଟାଉନାହିଁ । ପିଲାବେଳେ ମା’ ମୋତେ ଦୀପାବଳୀ ଅବସରରେ ଅନାଥାଳୟକୁ ନେଇ ଯାଉଥିଲେ । ସେଠାରେ ଆମେ ପିଲାମାନଙ୍କୁ ନୂଆ ଡ୍ରେସ୍ ଏବଂ ମିଠେଇ ଦେଉଥିଲୁ । ମୁଁ ଆଜି ବି ମୋ ମା’ ଏବଂ ଛୁଆଙ୍କ ସହ ଅନାଥାଳୟକୁ ଯାଏ ଏବଂ ପିଲାମାନଙ୍କୁ ଉପହାର ଦିଏ । ମୁଁ ଚାହେଁ ମୋ ପିଲାମାନେ ମଧ୍ୟ ବଡ ହେଲେ ଏହି ପରମ୍ପରାକୁ ନିର୍ବାହ କରନ୍ତୁ ।