୧୫ ବର୍ଷପରେ ଇତିହାସର ପୁନରାବୃତ୍ତି ! ଆସୁଛନ୍ତି ନେପାଳ ନରେଶ । ରତ୍ନ ସିଂହାସନ ଉପରେ ଚଢି ମହାପ୍ରଭୁଙ୍କ କରିବେ ପୂଜାର୍ଚ୍ଚନା

72

କନକ ବ୍ୟୁରୋ: ଦୀର୍ଘ ୧୫ ବର୍ଷ ପରେ ଇତିହାସର ପୁନରାବୃତି ହେବାକୁ ଯାଉଛି । ନେପାଳ ନରେଶ ଜ୍ଞ୍ୟାନେନ୍ଦ୍ର ବୀରବିକ୍ରମ ଶାହ ଦେବ ରତ୍ନ ସିଂହାସନରେ ଚଢି ପୂଜାର୍ଚ୍ଚନା କରିବାକୁ ଯାଉଛନ୍ତି । ଏଥିପାଇଁ ଆଜି ସେ ଓଡିଶା ଆସୁଛନ୍ତି । ଆଜିଠାରୁ ୧୨ ତାରିଖ ଯାଏ ସେ ଓଡିଶାରେ ରହିବେ । ତାଙ୍କୁ ରାଜ୍ୟ ଅତିଥି ଭାବେ ଘୋଷଣା କରାଯାଇଛି । ପୁରୀର ଆଦ୍ୟ ସେବକଙ୍କୁ ଏହି ଅଧିକାର ନଥିବାବେଳେ ନେପାଳର ରାଜାଙ୍କୁ ଏହି ଅଧିକାର ମିଳିଛି ।

୧୧ ତାରିଖ ପୂର୍ବାହ୍ନ ୧୧ଟାବେଳେ ସେ ଶ୍ରୀମନ୍ଦିରର ପ୍ରବେଶ କରି ପୂଜାର୍ଚ୍ଚନା କରିବେ । ଏଥିପାଇଁ ଶ୍ରୀମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିରରେ ତାଲା ପଡିବ । ନେପାଳର ପାରମ୍ପରିକ ବେଶରେ ସେ ପୁରୀ ଗଜପତି ମହାରାଜଙ୍କ ଭଳି ଦକ୍ଷିଣଦ୍ୱାର ଦେଇ ପ୍ରବେଶ କରିବେ ଓ ସେହି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ନେପାଳ ନରେଶଙ୍କ ପୁରୀ ଗସ୍ତକୁ ନଜରରେ ରଖି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କାଲି ଲିଙ୍ଗରାଜ ମନ୍ଦିରକୁ ଯାଇ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ।

ଉଲ୍ଲେଖଥାଉ କି, ସ୍ୱତନ୍ତ୍ର ନୀତିକାନ୍ତରେ ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ ରତ୍ନ ସିଂହାସନରେ ପୂଜା କରିବେ । ଆସନ୍ତା ୧୧ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଶ୍ରୀମନ୍ଦିରରେ ତାଙ୍କର ପ୍ରବେଶ ସମୟ ଧାର୍ଯ୍ୟ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନୀତି ନିର୍ଘଂଟ ହୋଇନାହିଁ ବରଂ ନେପାଳ ନରେଶଙ୍କଠାରୁ ଆସିଥିବା ନୀତିନିର୍ଘଂଟରେ ଏହା ଉଲ୍ଲେଖ ରହିଛି । କୌତୁହଳପ୍ରଦ ହେଉଛି ଏହି ଦିନ ପଙ୍କୋଦ୍ଧାର ଏକାଦଶୀ ।

ଉକ୍ତଦିନ ସାଧାରଣତଃ ଶ୍ରୀମନ୍ଦିର ପ୍ରବଳ ଗହଳି ହୋଇଥାଏ । ଏଣୁ ଏହି ଗହଳିକୁ ଲକ୍ଷ୍ୟ କରି ନେପାଳ ନରେଶଙ୍କ କାର୍ଯ୍ୟସୂଚିରେ ପରିବର୍ତ୍ତନ କରାଯିବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ତାହା କାଟ୍ ହୋଇଯାଇଛି ।କାରଣ ଏହା ସାଧାରଣ ଭାବରେ ପୂଜାର୍ଚ୍ଚନା ନୁହେଁ ବରଂ ହିନ୍ଦୁ ପରମ୍ପରା ଏବଂ ତିଥି ଅନୁଧ୍ୟାନ ପୂର୍ବକ ଏହି ବ୍ୟବସ୍ଥା କରାଯାଇଥିବାରୁ ଏହାକୁ ପରିବର୍ତ୍ତନ କରାଯାଇ ପାରିନାହିଁ ।