କୋଟିଆରେ ଆନ୍ଧ୍ରର ଦାଦାଗିରି ! ଆନ୍ଦୋଳନ ପାଇଁ ସଜବାଜ

41

କନକ ବ୍ୟୁରୋ: ଆନ୍ଧ୍ରର ଦାଦାଗିରି ବିରୋଧରେ ଏକାଠି ହେବେ କୋଟିଆ ପଂଚାୟତବାସୀ । ସ୍ଥାନୀୟ ସରପଂଚଙ୍କ ନେତୃତ୍ୱରେ ଏକାଠି ହେବେ ୨୧ଟି ଗାଁର ଗ୍ରାମବାସୀ । ଏନେଇ ରାଜ୍ୟ ସରକାରଙ୍କୁ ଦାବି ପତ୍ର ଦେବେ । କୋଟିଆ ଅଂଚଳରେ ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କରିବା ପରେ ଗାଁ ଲୋକଙ୍କ ଭୋଟର କାର୍ଡ ସଂଶୋଧନ କରିବା ସହ ଆଧାର କାର୍ଡ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତିି । ଅନ୍ୟପଟେ ଓଡିଶା ସରକାର ଆନ୍ଧ୍ରର ମୁକାବିଲା କରିବା ପାଇଁ କୋଟିଆରେ ଏକ ଆଧାର କେନ୍ଦ୍ର ଖୋଲି ଗାଁ ଲୋକଙ୍କ ଆଧାରକାର୍ଡ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଉଭୟ ରାଜ୍ୟର ଭୋଟର କାର୍ଡ ଧରି ଦ୍ୱନ୍ଦ୍ୱରେ ପଡିଛନ୍ତି କୋଟିଆ ପଂଚାୟତବାସୀ ।

ଉଲ୍ଲେଖଥାଉ କି, ବିବାଦୀୟ କୋଟିଆରେ ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ମାସରେ ଆନ୍ଧ୍ରର ଅନୁପ୍ରବେଶ ପରେ ଓଡ଼ିଶା ସରକାର ହଠାତ ଚେତି ଉଠିଥିଲାବେଳେ ଏହାକୁ ଖାତିର କରିନି ପଡୋଶୀ ଆନ୍ଧ୍ର । ବରଂ ଓଡ଼ିଶାକୁ ହିସାବକୁ ନ ନେଇ ଆମ ରାଜ୍ୟ ଭିତରେ ଗୋଟିଏ ପରେ ଗୋଟିଏ ନିର୍ମାଣ କାମ ଆରମ୍ଭ କରି ଦେଇଛି । ତାଡିବାଲସାରୁ ଆରଜୁ ବାଲସା ପର୍ଯ୍ୟନ୍ତ ମେଟାଲ ରାସ୍ତା ନିର୍ମାଣ କରିବା ପରେ ଏବେ ତଳ ଗଂଜେଇ ପଦରରେ ରାସ୍ତା ନିର୍ମାଣ ଆରମ୍ଭ କରିଛି । ତେବେ ଏଥିନେଇ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ପାଖରେ ଖବର ବି ନାହିଁ ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଚାଲିଥିଲାବେଳେ ବିଭିନ୍ନ ସମୟରେ ଆନ୍ଧ୍ର ଅଧିକାରୀମାନେ ଓଡ଼ିଶାରେ ପଶି ସରକାରୀ ସହାୟତା ବାଣ୍ଟୁଛନ୍ତି । ଗତ ମାସରେ ଆନ୍ଧ୍ରର ଡଜନେ ଅଧିକାରୀ କୋଟିଆର ତଳ ଗଂଜେଇ ପଦରକୁ ଆସି ସୋଲାର ଲାଇଟ ଓ କମ୍ବଳ ବାଣ୍ଟିଥିଲେ। ଏହା ସହିତ ବିଭିନ୍ନ ସରକାରୀ ଯୋଜନାରେ ସହାୟତା ବି ପ୍ରଦାନ କରିଥିଲେ । ଏହା ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଥିଲା ।  ଓଡ଼ିଶା ଅଧିକାରୀମାନେ କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ଓଡ଼ିଶା ସରକାରଙ୍କୁ ବେଖାତିର କରି ସପ୍ତାହେ ହେଲା କୋଟିଆ ପଞ୍ଚାୟତର ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଜୋରଦାର କରିଛି। ତାଡିବାଲସାରୁ ଆରଜୁବାଲସା ପର୍ଯ୍ୟନ୍ତ ରାସ୍ତାରେ ମେଟାଲ ପକାଇ ମରାମତି କରାଯିବା ପରେ ଏବେ ତଳ ଗଂଜେଇ ପଦରରେ ରାସ୍ତା କାମ ଆରମ୍ଭ କରିଛି ଆନ୍ଧ୍ର ।

ସେପଟେ, ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତ କୋଟିଆ ଗ୍ରାମକୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀମାନେ ଅନୁପ୍ରବେଶ କରି ବିଭିନ୍ନ ଯୋଜନାରେ ଗ୍ରାମବାସୀମାନଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏ ନେଇ ଅନୁଧ୍ୟାନ ପାଇଁ କୋଟିଆକୁ ଖୁବଶୀଘ୍ର ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦଳକୁ ପଠାଯିବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି । ଗତକାଲି ଏ ନେଇ ମନ୍ତ୍ରୀ ଶ୍ରୀ ମହାନ୍ତି ବିଭାଗୀୟ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ପରେ ସେ କହିଥିଲେ, କୋଟିଆ ନେଇ କୌଣସି ବିବାଦ ନାହିଁ। ଏହା ସଂପୂର୍ଣ୍ଣ ରୂପେ ଓଡ଼ିଶାର। ତେବେ କାହିଁକି ବାରମ୍ବାର ଆନ୍ଧ୍ର ପ୍ରଦେଶରୁ ଅଧିକାରୀମାନେ ସେଠାକୁ ଆସୁଛନ୍ତି, କି କି କାର୍ଯ୍ୟକ୍ରମ କରୁଛନ୍ତି ସେ ସଂପର୍କରେ ଅନୁଧ୍ୟାନ କରାଯିବ। କୋଟିଆକୁ ନେଇ ରହିଥିବା ମାମଲା ନେଇ ଆଇନ ବିଭାଗର ପରାମର୍ଶ ଲୋଡ଼ାଯାଇଥିବା ସେ କହିଥିଲେ ।