ବିଜୟ, ଦିଲ୍ଲୀପ ନୁହଁନ୍ତି ଷ୍ଟାର୍ ପ୍ରଚାରକ । ମାଟି ପାଇଁ ସ୍ୱର ଉଠାଇ ପାର୍ଟିରେ ହେଲେ କି ଅଲୋଡା?

52

କନକ ବ୍ୟୁରୋ: ପୁଣି ବିଜେପିରେ ଅଲୋଡା ହେଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ବିଜେପୁର ଉପ-ନିର୍ବାଚନ ପାଇଁ ଦିଆଯାଇଥିବା ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ ନାହିଁ ଏହି ଦୁଇ ବରିଷ୍ଠ ନେତାଙ୍କ ନାଁ । ଯାହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । କାହିଁକି ଏମାନଙ୍କୁ ଦଳ ଷ୍ଟାର୍ ପ୍ରଚାରକ ବୋଲି ଭାବିଲା ନାହିଁ? ଦଳ କଣ ଜାଣିସାରିଲାଣି କି ଏମାନେ ଆଉ ଆଗାମୀ ଦିନରେ ଦଳ ସହ ରହିବେ ନାହିଁ? ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମନୋମାଳିନ୍ୟ ପାଇଁ ହିଁ ଏମାନଙ୍କୁ ଷ୍ଟାର୍ ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଛି । ବିଜୟ ମହାପାତ୍ର ଯଦିଓ ଔପଚାରିକ ଭାବେ ଗଣମାଧ୍ୟମରେ କିଛି କହିନାହାନ୍ତି, ତେବେ ଅନୈାପଚାରିକ ଭାବେ ନିଜ ମନର ଅସନ୍ତୋଷକୁ ଜାହିର କରିଛନ୍ତି । ସେ କହିଛନ୍ତି, ମୁଁ ଦଳରେ କନଷ୍ଟେବଳ, ତାରକା ପ୍ରଚାରକ ହେବି କେମିତି । ଯାହା ସ୍ପଷ୍ଟ ଦର୍ଶାଉଥିବା ବିଜୟ ଆଉ ବିଜେପି ଭିତରେ ଫାଟ ବହୁତ ବଢିଗଲାଣି ।

bijay vs dharmendraତେବେ ଷ୍ଟାର୍ ପ୍ରଚାରକ ତାଲିକାରେ ନାଁ ନ’ରହିବା ପରେ ବିଜେପି ପକ୍ଷରୁ ବିଜୟଙ୍କ ମାନଭଂଜନ ଉଦ୍ୟମ କରାଯାଇଥିଲେ ବି ଏହା ବିଫଳ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବିଜେପି ନେତା ଭୃଗୁ ବକ୍ସିପାତ୍ର ବିଜୟ ମହାପାତ୍ରଙ୍କ ପାଖକୁ ଯାଇ ବୁଝାଇବାକୁ ଚେଷ୍ଟା କରିଥିଲେ । ଏପରିକି ବିଜେପୁର ଯାଇ ଦଳ ପାଇଁ ପ୍ରଚାର କରିବାକୁ ଅନୁରୋଧ ବି କରିଥିଲେ । ହେଲେ ଏହା ବିଫଳ ହୋଇଥିବା କୁହାଯାଉଛି । ବିଜୟ ମହାପାତ୍ର ସିଧାସିଧା ମନା କରିଦେଇଥିବା ସୂଚନା ମିଳିଛି । ତେବେ ଏନେଇ କିନ୍ତୁ କେହି ମୁହଁ ଖୋଲିନାହାନ୍ତି ।

ଠିକ୍ ଏଭଳି ଏକ ସ୍ଥିତି ପଂଚାୟତ ନିର୍ବାଚନ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ଦିଆଯାଇଥିବା ପ୍ରଥମ ଷ୍ଟାର୍ ପ୍ରଚାରକ ତାଲିକାରେ ବିଜୟ ଓ ଦିଲ୍ଲୀପଙ୍କ ନାଁ ନଥିଲା । ଏହାକୁ ନେଇ ବିବାଦ ଦେଖାଦେବା ପରେ ଦଳ ଏହାର ଷ୍ଟାର୍ ପ୍ରଚାରକ ତାଲିକା ବଦଳାଇ ଦିଲ୍ଲୀପ ଓ ବିଜୟଙ୍କ ନାଁକୁ ଯୋଡିଥିଲା । ହେଲେ ପ୍ରଚାରକୁ କିନ୍ତୁ ଯାଇନଥିଲେ ଏହି ଦୁଇ ନେତା । ଯାହା ସେତେବେଳେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା । ରାଜ୍ୟ ବିଜେପିର ଏବେ ପୋଷ୍ଟର୍ ବଏ ପାଲଟିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମନୋମାଳିନ୍ୟ ହିଁ ବିବାଦକୁ ଆଗକୁ ବଢାଉଥିବା ଅନୁମାନ କରାଯାଉଛି ।

ରାଜ୍ୟର ସ୍ୱାର୍ଥ ସମ୍ବଳିତ କିଛି ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ବିଜୟ ମହାପାତ୍ର ଓ ବିଜେପିର ଆଭିମୁଖ୍ୟ ଅଲଗା ଅଲଗା ହୋଇଥିଲା । ମହାନଦୀ ପ୍ରସଙ୍ଗରେ ଏହା ସ୍ପଷ୍ଟ ବାରି ହୋଇଥିଲା । ସେହିଭଳି ରାଉରକେଲା ପ୍ରତି ଅବହେଳା ନେଇ ଦିଲ୍ଲୀପ ସିଧାସଳଖ କେନ୍ଦ୍ରକୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ । ମାଟି ନୁହେଁ ପାର୍ଟି ବଡ ନାରାରେ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟିରେ କିନ୍ତୁ ଏହି ଦୁଇ ନେତା ରାଜ୍ୟ ଆଉ ନିଜ ଅଂଚଳର ସ୍ୱାର୍ଥ କଥା ଉଠାଇ ଅଲୋଡା ହୋଇଯାଇଥିବା ଚର୍ଚ୍ଚା ହେଉଛି । ରାଜନୈତିକ ସ୍ତରରେ ମଧ୍ୟ ନିର୍ବାଚନ ଆଗରୁ ଅନେକ ଗୁରୁତ୍ୱପୁର୍ଣ୍ଣ ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏହି ଦୁଇ ନେତାଙ୍କ ଠାରୁ ଦଳ ଦୁରତା ଅବଲମ୍ବନ କରୁଥିବା ଅନୁମାନ କରାଯାଉଛି ।