ଭଦ୍ର ଲୋକଙ୍କ ଖେଳ କ୍ରିକେଟରେ ଲାଗିଛି ପୁଣି ଏକ ବଡ କଳଙ୍କ । ବଲ୍ ଟାମ୍ପରିଙ୍ଗ୍ ପରେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ କଡା ସମାଲୋଚନା

25

କନକ ବ୍ୟୁରୋ: ଭଦ୍ର ଲୋକଙ୍କ ଖେଳ କ୍ରିକେଟରେ ଲାଗିଛି ପୁଣିଏକ ବଡ କଳଙ୍କ । ଦକ୍ଷିଣ ଆଫ୍ରିକା ସହ ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ବଲ ଟାମ୍ପରିଂର ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ଗତକାଲି ଅଷ୍ଟ୍ରେଲିଆ କ୍ୟାପଟେନ ଷ୍ଟିଭ ସ୍ମିଥ ଓ ଭାଇସ କ୍ୟାପଟେନ ଡେଭିଡ ୱାର୍ଣ୍ଣର ଦଳରୁ ବିଦା ହୋଇଛନ୍ତି । ଏପରିକି ଏହି ଘଟଣାକୁ ନେଇ ଚାରିଆଡେ ଝଡ ସୃଷ୍ଟି ହୋଇଥିବାବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେପଟେ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ବିରୋଧରେ କଠୋର ହୋଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ । ଷ୍ଟିଭ ସ୍ମିଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଆଇସିସି । ଗୋଟିଏ ମ୍ୟାଚରୁ ବ୍ୟାନ କରିବା ସହ ୧୦୦ ପ୍ରତିଶତ ମ୍ୟାଚ ଫି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ- ଆଇସିସି । ଏହା ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ତାଙ୍କୁ ଅଧିନାୟକ ପଦ ଛାଡିବା ଲାଗି କୁହାଯିବା ସହ ଉପ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କୁ ମଧ୍ୟ ପଦ ଛାଡିବା ଲାଗି କୁହାଯାଇଥିଲା । ଏହାପରେ ଉଭୟେ ନିଷ୍ପତିକୁ ଗ୍ରହଣ କରି ନିଜନିଜ ପଦ ଛାଡିଛନ୍ତି ।

ସେପଟେ ବିଭିନ୍ନ ସ୍ତରରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ କଳାକାରନାମାକୁ ନେଇ କଡା ସମାଲୋଚନା କରାଯାଉଛି । ନିଜ ଦେଶ ଓ ବାହାରେ ତାଙ୍କୁ ସମାଲୋଚନା କରାଯାଇଛି । ତେବେ ସ୍ମିଥ୍ ଓ ବେନକ୍ରଫ୍ଟଙ୍କ ବିରୋଧରେ ଆଇସିସି ନେଇଥିବା ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଟିମ୍ ଇଣ୍ଡିଆର ବୋଲର ହରଭଜନ ସିଂ । ସମସ୍ତ ପ୍ରମାଣ ସତ୍ୱେ ବେନକ୍ରଫ୍ଟଙ୍କୁ କାହିଁକି ବାସନ୍ଦ କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ୨୦୦୧ରେ ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ ମାତ୍ରାଧିକ ଅପିଲ କରିବା ଅଭିଯୋଗରେ ୬ ଜଣ ଖେଳାଳିଙ୍କୁ ସସ୍ପେଣ୍ଡ କରାଯାଇଥିଲା ଏବଂ ୨୦୦୮ରେ କଣ ଘଟିଥିଲା ବୋଲି ହରଭଜନ ପୁଣି ପ୍ରଶ୍ନ କରିଛନ୍ତି । ବିନା ପ୍ରମାଣରେ ୩ଟି ମ୍ୟାଚ ପାଇଁ ବାସନ୍ଦ କରାଯାଇଥିଲା ବୋଲି ଟ୍ୱିଟ କରିଛନ୍ତି ଭଜି । ଅଲଗା ଅଲଗା ଦେଶ ପାଇଁ ଅଲଗା ଅଲଗା ନିୟମ ବୋଲି ସେ ଉଲ୍ଲେଖ କରିଛନ୍ତି ।