ଆଉ ହଇରାଣ ହେବେନି ଗାଡି ଚାଳକ । ସମସ୍ତ ଆରଟିଓ, ଅତିରିକ୍ତ ଆରଟିଓଙ୍କୁ ପରିବହନ କମିଶନରଙ୍କ ନିର୍ଦ୍ଦେଶ, ଆରଟିଓ ଅଫିସ, ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର, ଡ୍ରାଇଭିଂ ଟେଷ୍ଟିଂ ଟ୍ରାକକୁ ଗୁଗୁଲ ମ୍ୟାପରେ ସ୍ଥାନିତ କର ।

1,159

କନକ ବ୍ୟୁରୋ : ଏଣିକି ଆରଟିଓ ବାବଦରେ ଟିକିନିକି ତଥ୍ୟ ଗୁଗୁଲରୁ ପାଇପାରିବେ ଗାଡି ଚାଳକ । ପୂର୍ବରୁ ଆରଟିଓ ଅଫିସ, ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ଖୋଜିବାକୁ ସାଧାରଣ ଲୋକଙ୍କୁ ନୟାନ୍ତ ହେବାକୁ ପଡୁଥିଲା । ଏପରିକି ଠିକଣା ନ ପାଇ ଗାଡି ଚାଳକଙ୍କୁ ହଇରାଣ ମଧ୍ୟ ହେବାକୁ ପଡୁଥିଲା । କିନ୍ତୁ ଏବେ ଗୋଟିଏ କ୍ଲିକରେ ଏ ସବୁ ସମସ୍ୟାର ସମାଧାନ ହୋଇଯିବ । କାରଣ ଏଣିକି ସମସ୍ତ ଆରଟିଓ ଅଫିସ, ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍, ଏପରିକି ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରର ଲୋକେସନକୁ ଗୁଗୁଲ ମ୍ୟାପରେ ସ୍ଥାନିତ କରିବାକୁ ସମସ୍ତ ଆରଟିଓ, ଅତିରିକ୍ତ ଆରଟିଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।

ଗାଡି ଚାଳକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର । ଏପରିକି ସମସ୍ତ ଆରଟିଓ ଅଫିସର ଫଟୋ, ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଫଟୋ ଗୁଗୁଲ ମ୍ୟାପରେ ସ୍ଥାନିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ଲର୍ଣ୍ଣିଂ ଓ ଲାଇସେନ୍ସ ପାଇଁ ଆବେଦନ କରିଥିବା ଗାଡି ଚାଳକଙ୍କୁ ଗୁଗୁଲ ଲୋକେସନର ଲିଙ୍କ୍ ପଠାଇବାକୁ ମଧ୍ୟ କୁହାଯାଇଛି । ଯାହାଫଳରେ ଜଣେ ବ୍ୟକ୍ତି ଗୁଗୁଲ ମ୍ୟାପ୍ ସାହାଯ୍ୟରେ ବେଶ ସହଜରେ ଆରଟିଓ ଅଫିସ ଓ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରରେ ପହଞ୍ଚିପାରିବେ ।

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି କାଗଜପତ୍ର କଡାକଡି ଯାଞ୍ଚ କରାଯିବା ସହ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଇଥିଲା । ଯାହା ଗାଡି ଚାଳକଙ୍କ ମନରେ ଛନକା ଭରିଥିଲା । ମୋଟା ଅଙ୍କର ଫାଇନ ଭୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓ ଅଫିସରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସେହିଭଳି ଗାଡି ପଲ୍ୟୁସନ୍ ସାର୍ଟିଫିକେଟ ପାଇଁ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରରେ ମଧ୍ୟ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । କିନ୍ତୁ ଆବଶ୍ୟକୀୟ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଆଉ ଏହାକୁ ଦୃଷ୍ଟିରେ ରଖି ନୂଆ ଟ୍ରାଫିକ ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି ରାଜ୍ୟ ସରକାର ।