ସହିଦଙ୍କ ମରଶରୀର ଉପରେ ଦଳୀୟ ପତାକା ରଖିବା ନେଇ ହେଲା କାର୍ଯ୍ୟାନୁଷ୍ଠାନ ! ୩ ଜଣଙ୍କୁ ବିଜେଡି ପକ୍ଷରୁ କରାଗଲା ନିଲମ୍ବନ

1,680

କନକ ବ୍ୟୁରୋ : ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ଦଳୀୟ ପତାକା ରଖାଯାଇଥିବା ଘଟଣାର ତର୍ଜମା କରିଛି ବିଜେଡି । ତେବେ ଏହି ଘଟଣାର ପ୍ରମାଣ ମିଳିବା ପରେ ଦଳ ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲାର ବିନୋଦ ମାଝି, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ ଦାସଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ତେବେ ନିଲମ୍ବନ ସମ୍ପର୍କରେ ବିଜେଡିର ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୁଲୱାମା ଆକ୍ରମଣରେ ସହିଦ ହୋଇଥିଲେ ଅଜିତ ସାହୁ । ତେବେ ତାଙ୍କର ମରଶରୀର ଓଡିଶା ଆସିବା ପରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ହେଲେ, ସହିଦଙ୍କ ଶରୀରରେ ବିଜେଡିର ଦଳୀୟ ପତାକା ଦିଆଯାଇଥିବା ନେଇ କଥା ସାମନାକୁ ଆସିଥିଲା । ଯାହାକୁ ନେଇ ବିରୋଧ ହେବା ସହ ଅନେକ ସମାଲୋଚନା ମଧ୍ୟ କରାଯାଇଥିଲା । ଏହାପରେ ଦଳର ମୁଖପାତ୍ର ସସ୍ମିତ ପାତ୍ର ଦୋଷୀ ଯିଏ ବି ହୋଇଥିବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କୁହାଯାଇଥିଲା । ଆଉ ଆଜି ସନ୍ଧ୍ୟାରେ ୩ ଜଣଙ୍କ ଉପରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।