କନକ ନ୍ୟୁଜର ପ୍ରଶ୍ନକୁ କାହିଁକି ଡରିଲେ ବୈଜୟନ୍ତଙ୍କ ବନ୍ଧୁ ! ଆମେ ପଚାରିଥିଲୁ ୧୧ଟି ପ୍ରଶ୍ନ, ଆୟାର କହିଲେ ଉତ୍ତର ନାହିଁ

131

କନକ ବ୍ୟୁରୋ : ପ୍ରଶ୍ନ ପଚାରିଥିଲା କନକ ନ୍ୟୁଜ, ଉତ୍ତର ଦେଲେନି ବୈଜୟନ୍ତଙ୍କ ବନ୍ଧୁ । ହଁ ଆଜ୍ଞା ଆମେ କହୁଛୁ ବୈଜୟନ୍ତଙ୍କ ବିବାଦୀୟ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କ କଥା । ଓଡିଶା ସଂସ୍କୃତି, ମହାପ୍ରଭୁ ଜଗନ୍ନାଥ, କୋଣାର୍କ ମନ୍ଦିରର କାରୁକାର୍ଯ୍ୟକୁ ନେଇ ବିବାଦୀୟ ବୟାନ ଦେଇ ଓଡିଶାବାସୀଙ୍କ ଆଖିରେ ଖଳନାୟକ ଭାବେ ଉଭା ହୋଇଛନ୍ତି ବୈଜୟନ୍ତଙ୍କ ବନ୍ଧୁ । ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବଙ୍ଗାଳୀଙ୍କର । କଳିଙ୍ଗର ଶାସକମାନେ ଜଗନ୍ନାଥଙ୍କୁ ବେଙ୍ଗଲରୁ ଚୋରାଇ ଆଣିଥିବା କହିବା ପରେ ଏବେ ରାଜ୍ୟବାସୀଙ୍କ ଟାର୍ଗେଟରେ ଅଭିଜିତ । ତେବେ ଓଡିଶା ଓ ଜଗନ୍ନାଥଙ୍କ ଉପରେ ଏଭଳି ଅପମାନସୂଚକ ତଥା ବିବାଦୀୟ ବୟାନ ଦେଇଥିବା ଅଭିଜିତଙ୍କୁ ଏହାର କାରଣ ପଚାରିଥିଲା କନକ ନ୍ୟୁଜ । ଏଥିପାଇଁ ଆମ ପ୍ରତିନିଧି ଭାବନୀ ପ୍ରସାଦ ଦାସ ଫେସବୁକ ଜରିଆରେ ଅଭିଜିତଙ୍କ ସହ ଯୋଗାଯୋଗ କରି ଏ ଘଟଣା ସମ୍ବନ୍ଧୀୟ କିଛି ଉତ୍ତର ଜାଣିବାକୁ ଚାହିଁଥିଲେ । ତେବେ ସେ ଆମର ସମସ୍ତ ପ୍ରଶ୍ନ ଇମେଲ ଯୋଗେ ତାଙ୍କ ପାଖକୁ ପଠାଇବାକୁ କହିଥିଲେ । ଅଭିଜିତ ଏଭଳି କାହିଁକି କହୁଛନ୍ତି ତାହା ଜାଣିବା ପାଇଁ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ୧୧ଟି ପ୍ରଶ୍ନ ଆମେ କନକ ନ୍ୟୁଜର ଅଫିସିଆଲ ଇମେଲ ଆଇଡିରୁ ଅଭିଜିତ ଆୟାର ମିତ୍ରଙ୍କ ଇମେଲ ଆଇଡିକୁ ପଠାଇଥିଲୁ ।

ଅଭିଜିତଙ୍କୁ ପଚରାଯାଇଥିବା କିଛି ପ୍ରମୁଖ ପ୍ରଶ୍ନ ଯାହାର ଉତ୍ତର ଜାଣିବାକୁ ଚାହୁଁଛନ୍ତି ଓଡିଶାବାସୀ :
– ଆପଣ ଓଡିଶାକୁ ଅପମାନିତ କରିଛନ୍ତି, ଏହାସହ କୋଣାର୍କ ସର୍ମ୍ପକରେ ଅଶାଳୀନ ମନ୍ତବ୍ୟ ରଖିଛନ୍ତି । ଏହି ପ୍ରାଚୀନ ମନ୍ଦିର ଏବଂ ଏହା ପଛରେ ଥିବା ସଂସ୍କୃତି ଓ ଦର୍ଶନ ସର୍ମ୍ପକରେ ଆପଣଙ୍କ ପାଖରେ ଯଥେଷ୍ଟ ଜ୍ଞାନ ଅଛି କି ନା କେବଳ କୌତୁହଳ ପାଇଁ ଏଭଳି ମନ୍ତବ୍ୟ ରଖିଥିଲେ

– ଆପଣ ଜାଣିଛନ୍ତି କି, ଆପଣଙ୍କ ମତାମତ କୋଟି କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି

– ଆପଣଙ୍କ ଟ୍ୱିଟରୁ ସ୍ପଷ୍ଟ ହେଉଛି ଯେ, ଆପଣ ଓଡିଶା ସର୍ମ୍ପକରେ ଅନେକ ଅଶାଳୀନ ମନ୍ତବ୍ୟ ରଖିଛନ୍ତି । ଏପରିକି ଆପଣ ଶ୍ରୀଜଗନ୍ନାଥଙ୍କୁ ବଙ୍ଗାଳୀଙ୍କ ଠାକୁର କହିଛନ୍ତି । ଏହା ହସ ମଜା ଉଦ୍ଦେଶ୍ୟରେ ରଖା ଯାଇଥିବା ମନ୍ତବ୍ୟ ନା ଏହାକୁ ପ୍ରମାଣିତ କରିବା ପାଇଁ ଆପଣଙ୍କ ପାଖରେ କିଛି ଯୁକ୍ତିସଙ୍ଗତ ତଥ୍ୟ ରହିଛି

– ଆମେ ଜାଣିବାକୁ ଚାହୁଁଛୁ କି, ପ୍ରକୃତରେ ୧୫ ସେପ୍ଟେମ୍ବର ଦିନ ଓଡିଶା ଆକାଶରେ କଣ ହୋଇଥିଲା । ଯେଉଁ ଚପରରେ ଆପଣ ଯାତ୍ରା କରୁଥିଲେ ତାହା ନିଷିଦ୍ଧାଞ୍ଚଳରେ ଉଡିବା ସହ ଆଇନର ଉଲ୍ଲଂଘନ କରୁଥିଲା କି? ସେହିପରି ଆପଣ ବିମାନରେ ବସି ଐତିହ୍ୟ ସମ୍ପନ୍ନ କୀର୍ତ୍ତି ରାଜି ଉପରେ ଚକ୍କର କାଟିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁନି କି ?

– ପୋଲିସ ନୋଟିସ କଲେ ଆପଣ ହାଜର ହେବେ କି ?

କିଛି ଏଭଳି ପ୍ରଶ୍ନ ଅଭିଜିତଙ୍କୁ ପଚାରି ଉତ୍ତର ଜାଣିବାକୁ ଚାହିଁଥିଲା କନକ ନ୍ୟୁଜ । ତେବେ କନକ ନ୍ୟୁଜର ଏହି ପ୍ରଶ୍ନର ଉତ୍ତର ଦେବାକୁ ଯେମିତି ପଛଘୁଞ୍ଚା ଦେଇଥିଲେ ଅଭିଜିତ । ଯେତେବେଳେ ପ୍ରଶ୍ନ ଇମେଲ ଆଇଡିରେ ପଠାଯାଇଥିବା ନେଇ ଆମ ପ୍ରତିନିଧି ସୋସିଆଲ ମିଡିଆରେ ତାଙ୍କୁ ଅବଗତ କଲେ ତାହା ପରେ ଯେଉଁ ଉତ୍ତର ତାଙ୍କ ଠାରୁ ମିଳିଲା ତାହା ଆପଣ ସମସ୍ତଙ୍କୁ ତାଜୁବ କରିଦେବ । ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେ ସିଧାସଳଖ ଭାବେ କହିଥିଲେ, ଏହି ପ୍ରଶ୍ନଗୁଡିକ ଅତ୍ୟନ୍ତ ଉଦ୍ଧତ ସ୍ୱଭାବର । ଏହା ଅଭିଯୋଗରୁ ଆରମ୍ଭ ହୋଇଛି । ଏଗୁଡିକର ଉତ୍ତର ଦେବା ଅର୍ଥ ଏହାର ଆଧାରକୁ ଗ୍ରହଣ କରିନେବା । ମୁଁ ଏଗୁଡିକର ଉତ୍ତର ଦେବି ନାହିଁ ବୋଲି କହି ଏହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି ଅଭିଜିତ । ତେବେ ଏଠି ପ୍ରଶ୍ନ ଉଠୁଛି ଯେତେବେଳେ ମହାପ୍ରଭୁ ଜଗନ୍ନାଥ, ଓଡିଶା ସର୍ମ୍ପକରେ ଅଭିଜିତ ଆଶାଳୀନ ମନ୍ତବ୍ୟ ଦେବାକୁ ପଛାଉନାହାନ୍ତି ସେତେବେଳେ ଓଡିଶାବାସୀଙ୍କ ସ୍ୱାଭିମାନ ସହ ଜଡିତ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୈଜୟନ୍ତଙ୍କ ବନ୍ଧୁ ।