ଝାରସୁଗୁଡା ବିମାନ ବନ୍ଦର ପାଇଁ ଶ୍ରେୟର ଲଢେଇ ! ପୋଷ୍ଟର, ହୋର୍ଡିଂ ମାରି ନିଜ ନିଜ ଅବଦାନକୁ ଦର୍ଶାଇଲେ ବିଜେଡି, ବିଜେପି ଓ କଂଗ୍ରେସ ।

31

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ଉଦଘାଟିତ ହେବ ଓଡ଼ିଶାର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଉଦଘାଟନ କରିବା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆଉ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ପୂର୍ବରୁ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି ପୋଷ୍ଟର ୱାର । ବିମାନ ବନ୍ଦର ପାଇଁ କେଉଁ ଦଳ କିମ୍ବା ସରକାରକୁ ମିଳିବ ଶ୍ରେୟ, ତାକୁ ନେଇ ଝାରସୁଗୁଡ଼ାରେ ସରଗରମ ହୋଇଛି ରାଜନୀତି ।

ବିମାନ ବନ୍ଦର ପାଇଁ ଶ୍ରେୟର ଲଢ଼େଇ । ଝାରସୁଗୁଡାରେ ପୋଷ୍ଟର ୱାର । ରାଜ୍ୟର ଦ୍ୱିତୀୟ ବିମାନବନ୍ଦର ଉଦଘାଟନ ହେବା ପୂର୍ବରୁ ଝାରସୁଗୁଡ଼ା ସହରର ଚାରି ଆଡେ ଲାଗିଥିବା ସବୁ ପୋଷ୍ଟର ଓ ହୋଡିଂର କେବଳ ଗୋଟିଏ ଉଦ୍ଦେଶ୍ୟ, କାହା ଉଦ୍ୟମରେ ସଫଳ ହେଲା ବିମାନ ବନ୍ଦର ? ଆଉ କାହାକୁ ମିଳିବ ଶ୍ରେୟ ? ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଏଥିପାଇଁ ଶ୍ରେୟ ନେବା ପାଇଁ ପଛେଇ ନାହାଁନ୍ତି । ବରଂ ନିଜ ଯୁକ୍ତିକୁ ଦୃଢ଼ ଭାବରେ ଉପସ୍ଥାପନ କରିବା ପାଇଁ ନିଜ ନିଜ ଦଳ କିମ୍ବା ସରକାର ନେଇଥିବା ପଦକ୍ଷେପର ଲମ୍ବା ତାଲିକା ମଧ୍ୟ ପୋଷ୍ଟର ଓ ହୋଡିଂ ଜରିଆରେ ପ୍ରଚାର କରୁଛନ୍ତି । ତିନି ପ୍ରମୁଖ ଦଳର ଗୋଟିଏ ଯୁକ୍ତି । କେଉଁ ଦଳକୁ ମିଳିବ ଶ୍ରେୟ ?

ରାଜ୍ୟ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ହୋଡିଂରେ କୁହାଯାଇଛି :

-ରାଜ୍ୟ ସରକାର ଝାରସୁଗୁଡ଼ା ବିମାନବନ୍ଦର ପାଇଁ ୭୫ କୋଟି ଅନୁଦାନ ଦେଇଛନ୍ତି

-୨୦୦ ଏକର ମାଗଣା ଜମି ଯୋଗାଇ ଦିଆଯାଇଛି

– ନିଶୁଳ୍କ ଜଳ ଯୋଗାଣ ଏବଂ ବିଜୁଳି ଯୋଗାଣ ବ୍ୟବସ୍ଥା କରାଯାଇଛି

– ନିରାପତ୍ତା ଏବଂ ଅଗ୍ନିଶମ ବ୍ୟବସ୍ଥା ପାଇଁ କର୍ମଚାରୀଙ୍କ ଦରମା ଦେବେ ରାଜ୍ୟ ସରକାର

ଅନୁରୁପ ଭାବରେ କଂଗ୍ରେସ ଦାବି କରିଛି :

-ଭିଏସଏସ୍ ବିମାନବନ୍ଦର ନିର୍ମାଣ ପଛରେ ରହିଛି ୟୁପିଏ ସରକାରଙ୍କ ଅବଦାନ

-୨୦୧୨-୧୩ ବଜେଟରେ ଏହି ଏୟାରପୋର୍ଟ ପାଇଁ ଅର୍ଥବ୍ୟବସ୍ଥା କରିଥିଲେ ମନମୋହନ ସିଂ

ଆଉ ମୋଦି ସରକାର ଅମଳରେ ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ହେଉଥିବାରୁ ବିଜେପି ପକ୍ଷରୁ ଆହୁରି ବଡ ବଡ ଯୁକ୍ତି ରଖାଯାଇଛି । ପ୍ରଧାନମନ୍ତ୍ରୀ ଉଡାଣ ଯୋଜନାରେ ଝାରସୁଗୁଡ଼ାକୁ ସାମିଲ କରିବା ସହ ସ୍ୱତନ୍ତ୍ର ଅର୍ଥବ୍ୟବସ୍ଥା କରିଥିବା ବିଜେପି ଦାବି କରିଛି । ଆଉ ଏହି ଶ୍ରେୟ ନେବାର ଏହି ପ୍ରତିଯୋଗିତା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ । ଆଉ ଏସବୁ ଭିତରେ ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଉଦଘାଟନ ପାଇଁ ଆସୁଛନ୍ତି ।