ସାତକୋଶିଆରେ ଜଣେ ଯୁବକଙ୍କୁ କଚାଡି ମାରିଲା ଯଶୋଦା : ଆତଙ୍କ ଖେଳାଉଥିବା ସୁନ୍ଦରୀକୁ ଧରିବାକୁ ଆସି ହତ୍ୟାକାରୀ ସାଜିଲା କୁମକୀ ହାତୀ
କନକ ବ୍ୟୁରୋ : ମଣିଷମରା ସୁନ୍ଦରୀକୁ ଧରିବା ପାଇଁ ଆସି ନିଜେ ହତ୍ୟାକାରୀ ପାଲଟିଗଲା ଯଶୋଦା । ଆଜି ସାତକୋଶିଆରେ ଜଣେ ଯୁବକଙ୍କୁ କଚାଡ଼ି ମାରିଦେଇଛି ଯଶୋଦା । ବାଘୁଣୀ ସୁନ୍ଦରୀକୁ ଧରିବାକୁ ଚନ୍ଦକାରୁ କୁମକୀ ହାତୀ ଯଶୋଦାକୁ ସାତକୋଶିଆ ଅଣାଯାଇଥିଲା । ମୃତକ ହେଲେ ସାତକୋଶିଆର ସ୍ଥାନୀୟ ଅଂଚଳର ମୁଣ୍ଡା ସାହିର ସୁଦର୍ଶନ ପ୍ରଧାନ । ହାତୀ ପାଖକୁ ଯାଇଥିବା ବେଳେ ଯଶୋଦା କଚାଡି ମାରିଛି । ଯଶୋଦାକୁ ଚେନରେ ବନ୍ଧା ହୋଇଥିଲେ ମଧ୍ୟ ଏଭଳି ଅଘଟଣ ଘଟିଛି । ହାତୀର ଅତି ନିକଟକୁ ଯାଇ ସୁଦର୍ଶନ ଫସିଯାଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୁନ୍ଦରୀ ପରେ ଏବେ ଯଶୋଦା ଉପରେ ଲାଗିଲା ମଣିଷମର ଅପବାଦ । ସାତକୋଶିଆରେ ବେଶ୍ କିଛି ଦିନ ଧରି ସୁନ୍ଦରୀ ଆତଙ୍କ ମଚାଇଥିଲା । ମଧ୍ୟପ୍ରଦେଶରୁ ଆସି ଅନୁଗୁଳର ସାତକୋଶିଆ ଜଙ୍ଗଲରେ ପହଞ୍ଚିବାର କିଛି ଦିନ ପରେ ବଦନାମ ହେଲା ଜଙ୍ଗଲରାଣୀ ‘ସୁନ୍ଦରୀ’। ସୁନ୍ଦରୀକୁ ଠାବ କରିବା, ଟ୍ରାଙ୍କୁଲାଇଜ୍ କରିବା କଷ୍ଟକର ହୋଇପଡ଼ିଥିଲା । ଆଉ ଆତଙ୍କ ଖେଳାଉଥିବା ବାଘୁଣୀକୁ ଧରିବା ପାଇଁ ଶେଷରେ କୁମକୀ ହାତୀ ‘ଯଶୋଦା’ର ସହାୟତା ନିଆଗଲା । ୫ ଦିନ ଧରି ଯଶୋଦା ନିଶ୍ଚେତକମାନଙ୍କୁ ପିଠିରେ ଧରି ସାତକୋଶିଆ ଜଙ୍ଗଲରେ ଘୁରି ବୁଲିଲା ।
ଶେଷରେ ଯଶୋଦାର ଉଦ୍ୟମ ସଫଳ ହେଲା। ବନବିଭଗେର ବିଶେଷଜ୍ଞମାନେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ଏନକ୍ଲୋଜର ଭିତରେ ରଖିବାରେ ସକ୍ଷମ ହେଲେ। ତେବେ ଯେଉଁ ମଣିଷମରା ସୁନ୍ଦରୀକୁ ଧରିବା ପାଇଁ ବନବିଭାଗ କୁମକୀ ହାତୀ ‘ଯଶୋଦା’କୁ ବ୍ୟବହାର କରିଥିଲେ, ସେହି ଯଶୋଦା ଏବେ ମଣିଷମରା ଅପବାଦ ପାଇଛି । ଆଜି ସକାଳେ ଯଶୋଦା ଜଣେ ଯୁବକଙ୍କୁ ପାଦରେ ଦଳି ମାରି ଦେଇଛି । ଖବର ପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ ଯଶୋଦା ସହାୟତାରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ଯଶୋଦାକୁ ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ମୁଣ୍ଡାସାହି ନିକଟରେ ବାନ୍ଧି ରଖାଯାଇଥିଲା। ତେବେ ଆଜି ସକାଳୁ ସୁଦର୍ଶନ ପ୍ରଧାନ(୪୫ ବର୍ଷ) ନାଯଶୋଦା ପାଖକୁ ଚାଲିଯିବାରୁ ଯଶୋଦା ସୁଦର୍ଶନଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବା ସହିତ ତାଙ୍କ ମୁଣ୍ଡକୁ ପାଦରେ ଦଳି ଦେଇଥିବା ସୂଚନା ମିଳିଛି ।