ସରକାରୀ ଜମି ଦଖଲ କରିବା ମାମଲା, ପ୍ରଭୁ ହନୁମାନଙ୍କୁ ନୋଟିସ ଜାରିକଲା ରେଳ ବିଭାଗ

249

କନକ ବ୍ୟୁରୋ : ବିଶ୍ୱରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଆଇନ ରହିଛି । ଏହି ଆଇନ ସର୍ବଦା ମଣିଷ ଓ ପଶୁପକ୍ଷୀଙ୍କୁ ନ୍ୟାୟ ଦେବା ଉପରେ କାମ କରିଥାଏ । ଏଥିପାଇଁ କେବେ ମଣିଷକୁ ଦୋଷୀଭାବେ ଗଣନା କରାଯାଏ ତ କେବେ କେବେ ପଶୁପକ୍ଷୀଙ୍କୁ ମଧ୍ୟ ଦଣ୍ଡିତ କରାଯାଉଥିବାର ଦେଖିବାକୁ ମିଳିଛି । ହେଲେ ଏବେ ଏହି ଆଇନ ଏକ ମାମଲାରେ ପ୍ରଭୁ ହନୁମାନଙ୍କୁ ନୋଟିସ କରିଛି ।

ମଧ୍ୟପ୍ରଦେଶ ମୁରେନା ଜିଲ୍ଲାର ରେଳ ବିଭାଗ ଦ୍ୱାରା ପ୍ରଭୁ ହନୁମାନଙ୍କୁ ନୋଟିସ ଜାରି କରାଯାଇଛି । କିଛି ଜମି ଦଖଲ କରିଥିବା ଅଭିଯୋଗରେ ଏହି ନୋଟିସ ଜାରି କରାଯାଇଛି । କେବଳ ସେତିକି ନୁହେଁ ନୋଟିସର ଜବାବ ରଖିବାକୁ କିଛି ସମୟ ମହଲତ ମଧ୍ୟ ଦିଆଯାଇଛି ।

ମୁରେନା ଜିଲ୍ଲାରେ ଏବେ ଗ୍ୱାଲିଅର-ରାୟପୁର ବ୍ରଡଗଜ କାମ ଚାଲୁରହିଛି । ଏନେଇ ରେଳ ବିିଭାଗ ପକ୍ଷରୁ ରେଲୱେ ଟ୍ରାକ ମଧ୍ୟ ପକାଯାଉଛି । ଏହି କ୍ରମରେ ରେଳ ବିଭାଗର ଜମି ଜବର ଦଖଲ କରିଥିବା ଲୋକଙ୍କୁ ନୋଟିସ କରାଯାଇ ସେମାନଙ୍କୁ ଜମିରୁ ବେଦଖଲ କରାଯାଉଛି । ମୁରେନାର ସବଲଗଡ ଅଞ୍ଚଳରେ ଚାଲିଥିବା ବ୍ରଡଗଜ କାମରେ କିଛି ଦୋକାନ ଘର ଓ ଏକ ହନୁମାନ ମନ୍ଦିର ବାଧକ ସାଜିଛି ।

ଏହି କାରଣରୁ ଫେବୃଆରୀ ୮ ତାରିଖରେ ରେଳ ବିଭାଗ ତରଫରୁ ଏହି ଦୋକାନର ମାଲିକ ଓ ପ୍ରଭୁ ହନୁମାନଙ୍କ ଉର୍ଦ୍ଦେଶ୍ୟରେ ନୋଟିସ ଜାରି କରାଯାଇଛି । ହନୁମାନଙ୍କୁ କରାଯାଇଥିବା ନୋଟିସରେ ଲେଖାଯାଇଛି କି ରେଳ ବିଭାଗ ଜମି ଉପରେ ପ୍ରଭୁହନୁମାନ ଦଖଲ କରିଛନ୍ତି । ତେଣୁ ଏଠାରୁ ପ୍ରଭୁ ହନୁମାନ ତାଙ୍କ ମନ୍ଦିର ୭ ଦିନ ମଧ୍ୟରେ ହଟାଇ ନିଅନ୍ତୁ । ନହେଲେ ପ୍ରଶାସନ ଦ୍ୱାରା ଜବରଦଖଲ ଉଚ୍ଛେଦ କରାଯିବ ।