ସେବେ ଭିକ୍ଷାବୃତ୍ତି କରୁଥିଲେ… କିନ୍ନର ଆଜି ‘ନାଇଟ ଫୁଡକୋର୍ଟ’ର ମାଲିକ ।

73

କନକ ବ୍ୟୁରୋ: ଅନେକ ସମୟ ଧରି ସମାଜରେ ଅବହେଳିତ ହୋଇ ରହିଥିଲେ କିନ୍ନର ସମ୍ପ୍ରଦାୟ । ସମାଜରେ ତାଙ୍କୁ ଘୃଣ୍ୟ ଦୃଷ୍ଟିରେ ମଧ୍ୟ ଦେଖାଯାଉଥିଲା । ତେବେ ଏହିଭଳି କିଛି କିନ୍ନର ରହିଛନ୍ତି ଯେଉଁମାନେ ସମସ୍ତ ଭାବନାକୁ ପରିବର୍ତ୍ତନ କରି ନୂଆ ଆରମ୍ଭ କରିଛନ୍ତି । କର୍ଣ୍ଣାଟକର ଉଡ୍ଡୁପୀ ଜିଲ୍ଲାରେ ରହୁଥିବା ଏକ କିନ୍ନର ଗୋଷ୍ଠୀ ରାତ୍ରୀ ଭୋଜନର ଅନୁଧ୍ୟାନ କରୁଥିବା ଲୋକଙ୍କ ପାଇଁ ଭୋଜନାଳୟ ଖୋଲିଛନ୍ତି ।

ଦିନେ ଯେଉଁ ଉଡ୍ଡୁପୀର ରାସ୍ତାରେ ଭିକ୍ଷାବୃତ୍ତି କରି ନିଜର ଜୀବନ ବିତାଉଥିଲେ ଆଜି ସେଠାରେ ସେମାନେ ଲୋକଙ୍କ ପାଇଁ ଭୋଜନାଳୟ ଖୋଲିପାରିଛନ୍ତି । ଏ କାହାଣୀ ହେଉଛି ପୂର୍ବା, ବୈଷ୍ଣବୀ ଏବଂ ଚନ୍ଦନାଙ୍କର । ଉଡ୍ଡୁପୀ ବସଷ୍ଟାଣ୍ଡ ନିକଟରେ ସେମାନେ ଭୋଜନାଳୟ ଆରମ୍ଭ କରିଛନ୍ତି । ରାତିରେ ଯାତ୍ରା କରୁଥିବା ଏବଂ କାମ କରୁଥିବା ଲୋକଙ୍କ ପାଇଁ ସେମାନେ ଏହି ଭୋଜନାଳୟ ଖୋଲିଛନ୍ତି । ଏହା ଦ୍ୱାରା ଅନେକ ଫାଇଦା ପାଇପାରୁଛନ୍ତି ଲୋକେ ।

ଭୋଜନାଳୟରେ ସ୍ୱାଧିଷ୍ଟ ଜଳଖିଆ, ଚା ପରଷା ଯାଉଛି । ରାତିରେ ସହରରେ ଅନେକ ଲୋକ ହୋଟେଲକୁ ବନ୍ଦ କରିଦେଇଥାନ୍ତି । ତେବେ କିନ୍ନର ଗୋଷ୍ଠୀର ଏହି ଭୋଜନାଳୟ ଖୋଲିବା ପରେ ଲୋକେ ଆସି ଏଠାରେ ସେମାନଙ୍କ ଖାଦ୍ୟର ମଜା ନେଉଛନ୍ତି । ତେବେ ଏହି ତିନି କିନ୍ନର ପ୍ରତିକ୍ରିୟା ରଖିଛନ୍ତି ଯେ, ଜନତାଙ୍କ ପାଖରୁ ଏହାକୁ ନେଇ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି । ଲୋକଙ୍କ ପାଖରୁ ସମ୍ମାନ ମିଳୁଛି । ଆମେ ବର୍ତ୍ତମାନ ମୁଣ୍ଡଉଠାଇ ଚାଲିପାରୁଛୁ ।