ବାଉଁଶରେ ବିରାଜିଛନ୍ତି ମା’ ! ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ଦୁର୍ଗା ମୂର୍ତ୍ତି

134

କନକ ବ୍ୟୁରୋ : ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା । ବଡ ବଡ ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣମାଳାରେ ଝଲସିବ ପୂରା ସହର । ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହେଲାଣି । ପୂଜା ମଣ୍ଡପକୁ କିପରି ଅଧିକ ସୁନ୍ଦର କରାଯିବ ସେ ନେଇ ବିଭିନ୍ନ କ୍ଲବ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ଆଗାମୀ ୨୭ ତାରିଖରେ ଦୁର୍ଗାପୂଜାର ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏସବୁ ଭିତରେ ଗୌହାଟିର ବିଷ୍ଣୁପୁର ଦୁର୍ଗାପୂଜା କମିଟି ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରି ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି । ପ୍ରତିବର୍ଷ ନୂଆ ନୂଆ ଶୈଳୀରେ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଥିବା ବିର୍ଷ୍ଣୁପୁର ଦୁର୍ଗାପୂଜା କମିଟି ଚଳିତବର୍ଷ ବାଉଁଶରେ ୧୦୦ ଫୁଟ୍ ଉଚ୍ଚର ଦୁର୍ଗା ମୂର୍ତ୍ତି ନିର୍ମାଣ କରୁଛନ୍ତି ।

durga-idolବାଉଁଶରେ ନିର୍ମିତ ୧୦୦ ଫୁଟ ଉଚ୍ଚ ବିଶିଷ୍ଟ ଦୁର୍ଗା ମୂର୍ତ୍ତି ନିର୍ମାଣରେ ପ୍ରାୟ ୪୦ ଜଣ ଶିଳ୍ପୀ ଲାଗିଛନ୍ତି । ମୁଖ୍ୟ ମୂର୍ତ୍ତିକାର ନୁରୁଦିନ ଅହମ୍ମଦଙ୍କ ନେତୃତ୍ୱରେ ଅଗଷ୍ଟ ୧ ତାରିଖରୁ ଏହି ମୂର୍ତ୍ତି କାର୍ଯ୍ୟ ନିର୍ମାଣ ଚାଲିଛି । ଅହମ୍ମଦଙ୍କ କହିବା ଅନୁଯାୟୀ, ୧୦୦ ଫୁଟ୍ ଉଚ୍ଚ ବିଶିଷ୍ଟ ଏହି ଦୁର୍ଗା ମୂର୍ତ୍ତି ନିର୍ମାଣ କରିବାକୁ ଡେଡଲାଇନ ୨୦ ସେପ୍ଟେମ୍ବର ରଖାଯାଇଛି । ବାଉଁଶରେ ନିର୍ମିତ ଏହି ଦୁର୍ଗା ମୂର୍ତ୍ତି ବିଶ୍ୱର ସବୁଠାରୁ ବଡ ମୂର୍ତ୍ତି ବୋଲି ଅଭିହିତ କରିଛନ୍ତି ଅହମ୍ମଦ । ଏହା ପୂର୍ବରୁ କୋଲକାତାରେ ପୂର୍ବବର୍ଷ ଫାଇବରରେ ୮୩ ଫୁଟର ଦୁର୍ଗା ମୂର୍ତ୍ତି ନିର୍ମିତ ହୋଇଥିଲା ।

durga 3ଏହି ମୂର୍ତ୍ତି ବାବଦରେ ଗିନିଜ ବୁକ୍ ଅଫ୍ ୱାଲ୍ଡ ରେକର୍ଡର ଅଧିକାରୀଙ୍କୁ ଅବଗତ କରାଯାଇଛି । ୨୦ ତାରିଖରେ ଏହି ମୂର୍ତ୍ତି ନିର୍ମାଣ ଶେଷ ହେବା ପରେ ଅଧିକାରୀ ଏହି ମୂର୍ତ୍ତି ଦେଖିବାକୁ ଆସିବେ । ଏହି ମୂର୍ତ୍ତି ଗିନିଜ ବୁକରେ ସ୍ଥାନ ପାଇବା ସହ ସବୁଠାରୁ ବଡ ମୂର୍ତ୍ତିର ମାନ୍ୟତା ଲାଭ କରିବ ବୋଲି ଆଶାବାଦୀ ଅଛନ୍ତି ଅହମ୍ମଦ ।

durga 2ଦୀର୍ଘ ୪୨ ବର୍ଷ ଧରି ଅହମ୍ମଦ ଦୁର୍ଗା ମୂର୍ତ୍ତି ନିର୍ମାଣ କରି ଆସୁଛନ୍ତି । ପାଖାପାଖି ୨୦୦ ମଣ୍ଡପରେ ଦୁର୍ଗା ମୂର୍ତ୍ତି ନିର୍ମାଣ କରିଛନ୍ତି ଅହମ୍ମଦ । ୧୯୭୫ ମସିହାରେ ଆସାମରେ ପ୍ରଥମଥର ପାଇଁ ଅହମ୍ମଦ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ଅହମ୍ମଦ ମୁସଲିମ ସଂପ୍ରଦାୟର ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଦୁର୍ଗା ମୂର୍ତ୍ତି ନିର୍ମାଣ କରି ଆସୁଛନ୍ତି । ଏପରିକି ବଜାରରେ ତାଙ୍କ ମୂର୍ତ୍ତିର ଚାହିଦା ମଧ୍ୟ କାହିଁରେ କଣ । ଅହମ୍ମଦଙ୍କ କହିବା ଅନୁଯାୟୀ, ସେ ସବୁ ଧର୍ମ ଓ ସବୁ ସଂପ୍ରଦାୟର ଲୋକଙ୍କୁ ଭଲପାଇଥାନ୍ତି । ତା ଛଡା ସେ ଏହି ମୂର୍ତ୍ତି ନିର୍ମାଣ କରି ପେଟ ପୋଷିଥାନ୍ତି ଏବଂ ତାଙ୍କ ମୂତ୍ତିକୁ ସମସ୍ତେ ଦୀର୍ଘବର୍ଷ ଧରି ପସନ୍ଦ ମଧ୍ୟ କରୁଛନ୍ତି । ଏହି ବୃତ୍ତି ଦ୍ୱାରା ଅନେକ ଲୋକ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । କେବଳ ମୂତ୍ତି ନିର୍ମାଣ ନୁହେଁ ଆସାମୀ ଫିଲ୍ମରେ କଳା ନିର୍ଦ୍ଦେଶକ ଭାବେ ମଧ୍ୟ ନିଜର ପ୍ରତିଭା ଦେଖାଇଛନ୍ତି ଅହମ୍ମଦ ।