ଶୌଚାଳୟ ନଥିବାରୁ ଶଶୁର ଓ ଦିଅରଙ୍କ ନାଁ’ରେ କେସ୍ କଲେ ବୋହୂ !

110

କନକ ବ୍ୟୁରୋ : ଯୁଗ ବଦଳୁଛି ତା ସାଙ୍ଗରେ ତାଳ ଦେଇ ବଦଳୁଛି ଲୋକଙ୍କ ମାନସିକତା । ଏବେ ଲୋକମାନେ ସ୍ୱଚ୍ଛତାକୁ ନେଇ ବେଶ ସଚେତନ । ମୋଦି ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିବା ପରେ ଲୋକଙ୍କ ମାନସିକତାରେ ସିଧାସଳଖ ପ୍ରଭାବ ପକାଇଛି । ଗାଁରେ ମଧ୍ୟ ଏହି ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି । ଏଣିକି ଖାଲି ସ୍ଥାନରେ ଶୌଚ ହେବାକୁ ପସନ୍ଦ କରୁନାହାନ୍ତି ସାଧାରଣ ଲୋକ ।

toilet 2କିଛି ଦିନ ପୂର୍ବେ ସ୍ୱଚ୍ଛ ଅଭିଯାନ ଏବଂ ଖୋଲା ପଡିଆରେ ଶୌଚକୁ ନେଇ ‘ଟଏଲେଟ’ ନାମକ ଏକ ହିନ୍ଦୀ ଫିଲ୍ମ ରିଲିଜ ହୋଇଥିଲା । ଗାଁ ଗହଳିରେ ଖୋଲା ପଡିଆରେ ଶୌଚ କରୁଥିବାରୁ ମହିଳାଙ୍କୁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତାହାର ବାସ୍ତବ ଚିତ୍ର ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଥିଲା । ତା ଛଡା ଶୌଚାଳୟ ପାଇଁ ମହିଳା ଜଣକ କିପରି ପୂରା ସମାଜ ସହ ଲଢେଇ କରିବାକୁ ମଧ୍ୟ ପ୍ରସ୍ତୁତ ହୋଇ ଯାଇଥିଲା ତାହାର ନିଛକ ଦୃଶ୍ୟ ଫିଲ୍ମରେ ପ୍ରଦର୍ଶିତ ହୋଇଥିଲା । କିନ୍ତୁ ବାସ୍ତବରେ ଏହାର ଏକ ଝଲକ ଏବେ ଉତ୍ତରପ୍ରଦେଶର ମୁଜାଫରନଗରରେ ଦେଖିବାକୁ ମିଳିଛି । ଶୌଚାଳୟ ପାଇଁ ନିଜ ପରିବାର ସହ ଲଢେଇ କରିବା ସହ ନିଜ ଶଶୁର ଓ ଦିଅରଙ୍କ ନାମରେ ଥାନାରେ ଏତଲା କରିଛନ୍ତି ମହିଳା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

first-information-reportମୁଜାଫରନଗର ମୀନାପୁର ବ୍ଲକର ରଙ୍ଗିଲା ଦେବୀ । ୨୦୧୨ ମସିହାରେ କରଜା ଥାନାର ସୁନୀଲଙ୍କ ସହ ତାଙ୍କର ବାହାଘର ହୋଇଥିଲା । କିନ୍ତୁ ବାହାଘରର ୫ ବର୍ଷ ପରେ ଶଶୁର ଓ ଦିଅରଙ୍କ ନାମରେ ଅଭିଯୋଗ ନେଇ ଥାନାରେ ପହଞ୍ଚିଥିଲେ । ଘରେ ଶୌଚାଳୟ ନଥିବାରୁ ଶଶୁର ଓ ଦିଅରଙ୍କ ନାଁରେ ଅଭିଯୋଗ ଆଣିଥିଲେ ରଙ୍ଗିଲା ଦେବୀ । ତାଙ୍କ କହିବା ଅନୁଯାୟୀ, ଘରେ ଶୌଚାଳୟ ନ ଥିବାରୁ ଦୀର୍ଘ ୫ ବର୍ଷ ଧରି ପ୍ରତିଦିନ ଖୋଲା ପଡିଆକୁ ଶୌଚ ହେବାକୁ ସେ ଯାଉଥିଲେ । ଖୋଲାରେ ଶୌଚ କରୁଥିବାରୁ ଲୋକଙ୍କ ନଜରରେ ବାରମ୍ବାର ପଡୁଥିଲେ ରଙ୍ଗିଲା ଦେବୀ । ତେଣୁ ଘରେ ଶୌଚାଳୟ ତିଆରି କରିବାକୁ ଶଶୁର ଓ ଦିଅରଙ୍କୁ କହିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିଲେ । ବରଂ ତାଙ୍କୁ ସେଠାରେ ନିର୍ଯ୍ୟାତନା ଦିଆଯାଉଥିଲା ।

n modiଯେହେତୁ ତାଙ୍କ ପତି ବାହାରେ ରହୁଥିଲେ ତେଣୁ ତାଙ୍କ କଥାକୁ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ । ଘରେ ଶୌଚାଳୟ ନଥିବାରୁ ବାଧ୍ୟ ହୋଇ ବାପଘରକୁ ଚାଲି ଆସିଥିଲେ ରଙ୍ଗିଲା ଦେବୀ । କେବଳ ଶୌଚାଳୟ ପାଇଁ ସ୍ୱାମୀଙ୍କ ଠାରୁ ତାଙ୍କୁ ଦୂରେଇ ରହିବାକୁ ପଡୁଥିଲା । ଏହା ତାଙ୍କୁ ବେଶ ବାଧିଥିଲା । ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେ ଏକ ଭିନ୍ନ ଉପାୟ ଚିନ୍ତା କରିଥିଲେ । ବାରମ୍ବାର ପରିବାର ଲୋକଙ୍କୁ କହିବା ଅପେକ୍ଷା ସିଧା ଯାଇ ଥାନାରେ ପହଞ୍ଚିଥିଲେ । ଶଶୁର ଓ ଦିଅରଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଡେରି ନକରି ଉଭୟଙ୍କ ନାମରେ ମାମଲା ରୁଜୁ କରି ଥାନାକୁ ଆଣିଥିଲେ । ପୋଲିସ ଥାନାରେ ଶଶୁର ଓ ଦିଅର ଘରେ ନୂଆ ଶୌଚାଳୟ କରିବାକୁ ପ୍ରତିଶୃତି ଦେବା ପରେ ବୋହୂ ଅଭିଯୋଗ ପ୍ରତ୍ୟାହାର କରିଥିଲେ । ଏବେ ରଙ୍ଗୀଲା ଦେବୀଙ୍କୁ ନେଇ ପୂରା ମୁଜାଫରନଗରରେ ଚର୍ଚ୍ଚା ହେଉଛି । ତାଙ୍କ ସାହସିକ ପଦକ୍ଷେପ ଅନ୍ୟମାନଙ୍କ ପ୍ରେରଣା ସୃଷ୍ଟି କରିବ ।