କାହିଁକି ଜଳାଇବା ଚାଇନା ଲାଇଟ୍ ? ପାର୍ବଣରେ ଚାଇନା ପ୍ରୀତି ଛାଡିବାକୁ ଆହ୍ୱାନ

104

କନକ ବ୍ୟୁରୋ: ସାରା ରାଜ୍ୟରେ ଦୀପାବଳିର ଧୁମ ଆରମ୍ଭ ହୋଇଯାଇଛି । ଆଉ ଦୀପାବଳିରେ ଘର ସଜାଇବା ପାଇଁ ଦୀପର ସ୍ଥାନ ନେଇଛି ଏଲଇଡି ଲାଇଟ୍ । ଦୀପାବଳି ବଜାରରେ ଚୀନ ସାମଗ୍ରୀର ଏବେ ବି ଦବଦବା ରହିଛି । ଲୋକଙ୍କ ମଧ୍ୟରେ ସ୍ୱଦେଶୀ ସାମଗ୍ରୀ ପ୍ରତି ଆଗ୍ରହ ବଢିଛି, ହେଲେ ଚୀନ ସାମଗ୍ରୀ ସଂପୂର୍ଣ୍ଣ ବଜାରରୁ ଉଭେଇ ଯାଇନାହିଁ । ପାର୍ବଣ ଋତୁ ଆସିଲେ ଭାରତୀୟ ବଜାରରୁ ଅଧିକ ଫାଇଦା ଉଠାଇ ନେଉଛି ଚୀନ ।

  • ପାର୍ବଣରେ ଛାଡନ୍ତୁ ଚୀନ ପ୍ରୀତି
  • ସ୍ୱଦେଶୀ କିଣନ୍ତୁ ସଂସ୍କୃତିକୁ ବଞ୍ଚାନ୍ତୁ

ଦୀପାବଳି ପାଇଁ ବଜାରରେ ଗହଳି ଚହଳି ଲାଗିଛି । ଲୋକେ ଘର ସଜେଇବା ପାଇଁ ଏଲଇଡି ଲାଇଟ୍, ଦୀପ, ବାଣ କିଣି ଘରକୁ ନେଉଛନ୍ତି । ଦୀପାବଳି ବଜାରରେ ଚୀନ ସାମଗ୍ରୀର ଦବଦବା ଏବେ ବି ରହିଛି । କମ ଦାମରେ ମିଳୁଛି ଭଳି କି ଭଳି ଚିକମିକ୍ ଆଲୁଅର ଏଲଇଡି ଲାଇଟ୍ । ହେଲେ ଗଲୱାନ ଘାଟିରେ ସଂଘର୍ଷ ପରଠୁ ଚୀନ ସାମଗ୍ରୀ ବର୍ଜନ ପାଇଁ ସୋସିଆଲ ମିଡିଆରେ ଜୋରଦାର କ୍ୟାମ୍ପେନ ଚୀନ ସାମଗ୍ରୀର ଚାହିଦାକୁ କମାଇଛି ।

ଲୋକଙ୍କ ମଧ୍ୟରେ ସ୍ୱଦେଶୀ ସାମଗ୍ରୀ ପ୍ରତି ଆଗ୍ରହ ବଢିଛି, ହେଲେ ଚୀନ ସାମଗ୍ରୀ ସଂପୂର୍ଣ୍ଣ ବଜାରରୁ ଉଭେଇ ଯାଇ ନାହିଁ । ଦୀପାବଳି ବଜାରରେ ଏବେ ବି ଚୀନ ସାମଗ୍ରୀର ପ୍ରାଦୁର୍ଭାବ ରହିଛି । ସେ ବାଣ ହେଉ କି ସାଜସଜ୍ଜା ଲାଇଟ୍ । ପାର୍ବଣରେ ଭାରତୀୟ ବଜାରରୁ ଅଧିକ ଫାଇଦା ଉଠାଇ ନେଉଛି ଚୀନ ।

ଚୀନରେ ପ୍ରସ୍ତୁତ ସାମଗ୍ରୀ ଶସ୍ତାରେ ମିଳୁଥିବାରୁ ଲୋକେ ଆଗ୍ରହୀ ହୋଇ କିଣୁଛନ୍ତି । ଫଳରେ ଦୀପାବଳି ପାଇଁ ଦୀପ ପ୍ରସ୍ତୁତ କରିଥିବା କୁମ୍ଭକାର, ବାଣ ତିଆରି କରିଥିବା କାରିଗର କ୍ଷତି ସହୁଛନ୍ତି । ଚୀନ ସାମଗ୍ରୀ ଯୋଗୁଁ ପାର୍ବଣ ରୁତୁରେ ବର୍ଷକୁ ଭାରତ ପ୍ରାୟ ହଜାରେ କୋଟି ଟଙ୍କାର କ୍ଷତି ସହୁଛି । ପାର୍ବଣରେ ସ୍ୱଦେଶୀ ସାମଗ୍ରୀ ବିକ୍ରି ହେଲେ ପରମ୍ପରା ରକ୍ଷା ସହ କୌଳିକ ବୃତି ବଞ୍ଚିବ ଓ ଆଞ୍ଚଳିକ ଅର୍ଥନୀତି ମଧ୍ୟ ସୁଦୃଢ ହେବ । ଏଣୁ ଆସନ୍ତୁ ପାର୍ବଣ ଋତୁରେ ଆମେ ସଂକଳ୍ପ ନେବା ସ୍ୱଦେଶୀ ସାମଗ୍ରୀ କିଣିବା ।

  • ପାର୍ବଣ ଋତୁରେ ଚାଇନା ସାମଗ୍ରୀ ବଦଳରେ ସ୍ୱଦେଶୀ ସାମଗ୍ରୀ କିଣନ୍ତୁ
  • ଦୀପାବଳିରେ ଚାଇନା ଲାଇଟ୍ ବଦଳରେ ଦୀପରେ ଘର ସଜାନ୍ତୁ 
  • ମଲ ଓ ଦୋକାନରୁ ଲାଇଟ କିଣିବା ଅପେକ୍ଷା କୁମ୍ଭକାରଙ୍କ ଠାରୁ ଦୀପ କିଣନ୍ତୁ
  • ଦୀପ ତିଆରି କରୁଥିବା କୁମ୍ଭକାରଙ୍କୁ ଉଚିତ୍ ମୂଲ୍ୟ ମିଳିପାରିବ
  • ଦୀପରେ ଘର ସଜାଇବା ଦ୍ୱାର ଘର ଭବ୍ୟ ଓ ସୁନ୍ଦର ଲାଗିଥାଏ
  • ଯାହା ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆହୁରି ସୁଦୃଢ କରିବ
  • ଏହା ଦ୍ୱାରା ଦେଶପ୍ରେମ ଜାଗ୍ରତ ହେବା ସହ ସ୍ୱଦେଶୀ ସାମଗ୍ରୀର ଚାହିଦା ବଢିବ