ଉତ୍ତରପ୍ରଦେଶରେ କିଏ ଗଢିବ ସରକାର? ନିର୍ବାଚନ ଫଳାଫଳ ଉପରେ ନଜର

129

କନକ ବ୍ୟୁରୋ: ଗୁରୁବାର ପ୍ରକାଶ ପାଇବ ୫ଟି ରାଜ୍ୟର ନିର୍ବାଚନୀ ଫଳାଫଳ । କିନ୍ତୁ ୟୁପି ଉପରେ ରହିଛି ସମସ୍ତଙ୍କ ନଜର । ଦେଶର ସବୁଠାରୁ ବଡ ନିର୍ବାଚନ କ୍ଷେତ୍ରରେ କିଏ ମାରିବ ବାଜି ତାହା ଜାଣିବାକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ଦେଶବାସୀ । ସେପଟେ ବୁଥ ବାହୁଡା ମତ ଅନୁସାରେ ଉତ୍ତରପ୍ରଦେଶରେ ପୁଣିଥରେ ଯୋଗୀ ସରକାର ଗଢିବେ ବୋଲି ଆକଳନ କରାଯାଉଛି ।

ଉତ୍ତର ପ୍ରଦେଶ ନିର୍ବାଚନ ଫଳାଫଳ ଆସିବାକୁ ଆଉ କିଛି ଘଣ୍ଟାର ସମୟ ବାକି ଅଛି । ଯାହାକୁ ନେଇ ରାଜ୍ୟରେ ନିର୍ବାଚନୀ ତାତି ଏବେ ଜୋର ଧରିଛି । ଦ୍ୱିତୀୟ ଥର ଆସିଥିବା ଏଗଜିଟ୍ ପୋଲ୍ ଅନୁସାରେ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ଆକଳନ କରାଯାଉଛି । ରାଜ୍ୟରେ ମୋଟ ୪୦୩ଟି ବିଧାସଭା ଆସନ ଥିବାବେଳେ ଏଥିରୁ ୨୫୦ରୁ ଅଧିକ ସିଟ୍ରେ ବିଜେପି ବିଜୟ ହାସଲ କରିବ ବୋଲି କୁହାଯାଉଛି । ଅନ୍ୟପଟେ ବିରୋଧୀ ଦାବି କରିଛନ୍ତି ଏହି ସବୁ ଆକଳନ ଭୁଲ ସାବ୍ୟସ୍ତ ହେବ । ଭୋଟ ଗଣତି ପାଇଁ ଏବେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭୋଟ ଗଣତି ହେବା ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡା କରାଯାଇଛି ।

ସେପଟେ ଭୋଟ ଗଣତି ପୂର୍ବରୁ ଇଭିଏମ୍ ହେରେଫେର ନେଇ ଅଭିଯୋଗ ହୋଇଛି । ମଙ୍ଗଳବାର ବାରଣାସୀ ଜିଲ୍ଲାରେ ଇଭିଏମ ମେସିନର ବେଆଇନ ସ୍ଥାନାନ୍ତରଣ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ । ଭୋଟ ଗଣତି ହେବାର ୪୮ ଘଣ୍ଟା ପୂର୍ବରୁ ଇଭିଏମ ମେସିନକୁ କଣ ପାଇଁ ଅନ୍ୟତ୍ର ନିଆଯାଉଥିଲା ବୋଲି ସପା ଓ ବସପା ନେତା ପ୍ରଶ୍ନ କରିଛନ୍ତି ।

ଗୁରୁବାର ପ୍ରକାଶ ପାଇବ ଫଳାଫଳ । ପାଞ୍ଚଟି ରାଜ୍ୟର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଖାସ କରିକି ଉତ୍ତରପ୍ରଦେଶ ଉପରେ ବେଶି ଫୋକସ ରହିଛି । କାହିଁକି ନା ୟୁପିରେ ଯେଉଁ ଦଳ ବହୁମତ ହାସଲ କରେ କେନ୍ଦ୍ରରେ ସରକାର ଗଠନ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସେପଟେ ନେତା ମାନେ ବୁଥ ବାହୁଡା ମତର ତଥ୍ୟ ଆଧାରରେ ନିଜ ନିଜର ବିଜୟ ନେଇ ସ୍ପଷ୍ଟ ମତ ରଖୁଛନ୍ତି ।