ଗ୍ରାମ୍ୟ ନିର୍ମାଣ ବିଭାଗର ନାଲିଆଖି ! ନିମ୍ନମାନର କାମ କହି ରାସ୍ତାରେ ପିଚୁ ଖୋଳିଲେ ହେବ କାର୍ଯ୍ୟାନୁଷ୍ଠାନ ।

186

କନକ ବ୍ୟୁରୋ : ନିମ୍ନମାନର କାମ ନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ଯେତିକି ତତ୍ପର ହେଉ ନାହିଁ, କିପରି ଅଭିଯୋଗକୁ ରୋକିହେବ ସେଥିପାଇଁ ଅଧିକ ତତ୍ପରତା ଦେଖାଉଛି । ଯେଉଁମାନେ ପିଚୁ ଖୋଳି ନିମ୍ନମାନର କାମ ନେଇ ଦୃଷ୍ଟି ଆକର୍ଷଣ କରାଉଛନ୍ତି, ସେମାନଙ୍କୁ ନାଲି ଆଖି ଦେଖାଇଛି ବିଭାଗ ।

ପିଚୁ ଖୋଳିଲେ କାର୍ଯ୍ୟାନୁଷ୍ଠାନ । ଗ୍ରାମ୍ୟ ନିର୍ମାଣ ବିଭାଗର ନାଲିଆଖି ! ପୂର୍ବରୁ ଆମେ ଦେଖିଥିଲେ, ନିମ୍ନମାନର କାମ ଅଭିଯୋଗ କରି କିଭଳି ପିଚୁ ଖୋଳି ଦେଖାଇଥାନ୍ତି ଲୋକ । ତେବେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ମସୁଧା କରିଛି ଗ୍ରାମ୍ୟ ନିର୍ମାଣ ବିଭାଗ । ଲୋକଙ୍କ ଅଭିଯୋଗ ପ୍ରଶାସନକୁ ଅଡ଼ୁଆରେ ପକାଉଥିବାରୁ ସେଥିରୁ ମୁକ୍ତି ପାଇବା ପାଇଁ ବାଟ ବାହାର କରାଯାଇଛି ।

ବିଜ୍ଞପ୍ତିରେ ଲେଖାଯାଇଛି,
*ନିମ୍ନମାନର କାମ କହି ସଦ୍ୟ ତିଆରି ହୋଇଥିବା ପିଚୁ ଖୋଳିଲେ ହେବ କାର୍ଯ୍ୟାନୁଷ୍ଠାନ
*ଏହା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଛି
*ପିଚୁ ନମନୀୟ ହୋଇଥିବାରୁ ଏହା କଠିନ ହେବାକୁ ଏକ ମାସ ସମୟ ଲାଗିଥାଏ
*ଯଦି କୌଣସିଠାରେ କାର୍ଯ୍ୟ ନିମ୍ନମାନର ନଜର ଆସୁଛି, ତା’ର ମାନ ତୁରନ୍ତ ଯାଞ୍ଚ କରାଯିବ
*ନିମ୍ନମାନର କାମ ଅଭିଯୋଗ ଆସିଲେ ତତକ୍ଷଣାତ ମାନ ଯାଞ୍ଚ କରାଯିବ
*ଠିକାଦାର ନିଜସ୍ୱ ଖର୍ଚ୍ଚରେ ପୁନଃ ନିର୍ମାଣ ଓ ମରାମତି କରିବ

ସରକାରଙ୍କର ଏଭଳି ନିଷ୍ପତିକୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ । କହିଛନ୍ତି, ଯେଉଁ ସରକାରୀ ଅଧିକାରୀ ନିମ୍ନମାନର କାମ କରୁଛନ୍ତି, ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି । ଠିକାକାରଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସାଧାରଣ ଲୋକଙ୍କୁ ନାଲିଆଖି ଦେଖାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ସରକାରଙ୍କ ଏଭଳି ନିଷ୍ପତିକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ନିମ୍ନମାନର କାମ ହେଉଥିବା ଅଭିଯୋଗ ଆସିଲେ, ପ୍ରଶାସନ ତ୍ୱରିତ କାର୍ଯ୍ୟାନୂୁଷ୍ଠାନ ଗ୍ରହଣ କରୁଛି କି ? ଏକ ମାସ ପରେ ପିଚୁ ଖୋଳି ଦେଖାଇଲେ ନିମ୍ନମାନର କାର୍ଯ୍ୟ ପ୍ରମାଣିତ ହେବ କି ? ଲୋକଙ୍କ ଅଭିଯୋଗକୁ କାହିଁକି ଭିତ୍ତିହୀନ ଭାବୁଛନ୍ତି ସରକାର ?