ରାଷ୍ଟ୍ରପତି ହେବେ ପ୍ରଥମ ଓଡ଼ିଆ : ରାଇରଙ୍ଗପୁରରୁ ରାଇସେନା ହିଲ୍ ଯିବେ ଦ୍ରୌପଦୀ ମୁର୍ମୁ

139

କନକ ବ୍ୟୁରୋ: ଓଡ଼ିଶାରୁ ହେବେ ପ୍ରଥମ ରାଷ୍ଟ୍ରପତି । ସମସ୍ତଙ୍କୁ ଚକିତ କରି ମୟୁରଭଞ୍ଜର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ମିଳିଲେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ । ଗତକାଲି ସଂସଦୀୟ ବୋର୍ଡ ବୈଠକ ପରେ ଦ୍ରୌପଦୀଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଦ୍ରୌପଦୀ ମୁର୍ମୁ ଜାତୀୟ ରାଜନୀତିର ଜଣେ ଜଣାଶୁଣା ଆଦିବାସୀ ଚେହେରା । ଯିଏ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ଥିଲେ । ୨୦୦୦ରେ ବିଧାୟିକା ଭାବେ ରାଇରଙ୍ଗପୁରରୁ ନିର୍ବାଚିତ ହୋଇଥିଲେ ।

୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ନବୀନଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଦ୍ରୌପଦୀଙ୍କର ଜନ୍ମ ମୟୁରଭଞ୍ଜର ରାଇରଙ୍ଗପୁରରେ ହୋଇଥିଲା । ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ବଡ ମାଷ୍ଟର ଷ୍ଟ୍ରୋକ ଖେଳିଛି ମୋଦି ନେତୃତ୍ୱାଧିନ ଏନଡିଏ । ଆଦିବାସୀ ଅଧୁଷିତ ଅଂଚଳର ଛୋଟିଆ ଗାଁରେ, ଅଭାବ ଅସୁବିଧାରେ ବଢ଼ିଥିବା ଦୌପଦୀଙ୍କୁ ପ୍ରାର୍ଥୀ କରି ବଡ ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି । ଏବେ ଦୌପଦୀ ମୁର୍ମୁଙ୍କ ଟକ୍କର ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ହେବ । ଯଶୋବନ୍ତଙ୍କୁ ଗତକାଲି ସନ୍ଧ୍ୟାରେ ବିରୋଧୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଦୌପଦୀ ଆସନ୍ତା ୨୫ ତାରିଖରେ ନାମାଙ୍କନ ଭରିପାରନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀ ହେବା ପରେ ଦୌପଦୀ ମୁର୍ମୁ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତିି । କିନ୍ତୁ ଏ ଖବର ତାଙ୍କୁ କୌଣସି ଦଳୀୟ ନେତା ନୁହେଁ ସେ ଗଣମାଧ୍ୟମରୁ ସୂଚନା ପାଇଥିବା କହିଛନ୍ତି । ବିଜେଡି ସରକାରଙ୍କ ସହ ସାରା ଦେଶର ଜନପ୍ରତିନିଧିଙ୍କ ସମର୍ଥନ ଲୋଡିବେ ବୋଲି କହିଛନ୍ତି ଦୌପଦୀ ମୁର୍ମୁୁ ।

 ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁର୍ମୁ ନିଜ ଜୀବନକୁ ସମାଜର ସେବା କରିବାରେ, ଗରିବ ତଥା ଦଳିତ ବର୍ଗର ଲୋକଙ୍କୁ ସଶକ୍ତ କରିବାରେ ତାଙ୍କ ଜୀବନକୁ ଉତ୍ସର୍ଗ କରିଛନ୍ତି । ତାଙ୍କ ପାଖରେ ପ୍ରଶାସନିକ ଅଭିଜ୍ଞତା ରହିଛି । ରାଜ୍ୟପାଳ ଭାବେ ତାଙ୍କର ଏକ ଉଲ୍ଲେଖନୀୟ କାର୍ଯ୍ୟକାଳ ଥିଲା । ସେ ଦେଶର ଜଣେ ମହାନ ରାଷ୍ଟ୍ରପତି ହୋଇପାରିବେ ବୋଲି ମୋଦୀ ଆଶା ରଖିଛନ୍ତି ।

ଦୌପଦୀ ମୁର୍ମୁ ପ୍ରାର୍ଥୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସୁଭେଚ୍ଛା ଜଣାଇଛନ୍ତି । ଏସମ୍ପର୍କରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ କଥା ହୋଇଥିବାରୁ ସେ ଖୁସୀ ବ୍ୟକ୍ତି କରିଛନ୍ତି । ଏବଂ ଏହା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ଶ୍ରୀମତୀ ମୁର୍ମୁ ମହିଳା ଶଶକ୍ତିକରଣ କ୍ଷେତ୍ରରେ ଦେଶ ପାଇଁ ଏକ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ମୁଖ୍ୟମନ୍ତ୍ରୀ ଏହି ଟୁଇଟ୍ରୁ ସ୍ପଷ୍ଟ ହୋଇଯାଉଛି ଯେ ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବେ । ଆଉ ଓଡ଼ିଶାରୁ ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ହେବେ । ମୁଖ୍ୟମନ୍ତ୍ରୀଙ୍କ ଟୁଇଟ ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦ୍ରୌପଦୀ ମୁର୍ମୁ ।

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଦୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ନେଇ କହିଛନ୍ତି ଏହା ଆମ ରାଜ୍ୟ ପାଇଁ ଏକ ଗର୍ବର ବିଷୟ । ସ୍ୱାଧୀତତୋର ଭାରତର ପ୍ରଥମ ଜନଜାତି ମହିଳା ଏବଂ ଓଡ଼ିଶାର ପ୍ରଥମ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁ ଚୟନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୌପଦୀ ମୁର୍ମୁ ଜୀବନବ୍ୟାପି ଗରିବ ଓ ଅସହାୟଙ୍କ ସେବା କରିଛନ୍ତି । ତାଙ୍କର ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଭଲ ଅଭିଜ୍ଞତା ରହିଛି । ବିଜେପି ଏଭଳି ଜଣେ କର୍ମଯୋଗୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।