କନକ ବ୍ୟୁରୋ: “ମୁଁ ଆଶା କରିବି ସମସ୍ତେ ମୋତେ ସହଯୋଗ କରିବେ । ଭାରତର ଯେତିକି ରାଜ୍ୟ ଅଛି, ମୁଁ ସବୁ ରାଜ୍ୟକୁ ଯାଇ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିବି । ମୋ ନିଜ ରାଜ୍ୟ ପ୍ରତି ତ ମୋର ଅଧିକାର ଅଛି ତେଣୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସହଯୋଗ ଆଶା କରିବି”, ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିବା ପରେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଦ୍ରୌପଦୀ ମୁର୍ମୁ ।

Advertisment

ଏଥିସହିତ ଦେଶସେବା କରିବାର ସୁଯୋଗ ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଖାଲି ସେତିକି ନୁହେଁ, ସମସ୍ତ ଜନ ପ୍ରତିନିଧିଙ୍କ ସହଯୋଗ କାମନା କରିଛନ୍ତି ଦ୍ରୌପଦୀ ମୁର୍ମୁ । ତେବେ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ଦିଲ୍ଲୀ ଦରବାରରୁ ତାଙ୍କୁ କୌଣସି ପ୍ରକାର ସୂଚନା ଦିଆଯାଇନଥିଲା । ଗଣମାଧ୍ୟମରୁ ହିଁ ସେ ତାଙ୍କର ପ୍ରାର୍ଥୀ ହେବା ନେଇ ସୂଚନା ପାଇଥିଲେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଯଶୱନ୍ତ ସିହ୍ନା ଓ ଦ୍ରୌପଦୀ ମୁର୍ମୁଙ୍କ ଭିତରେ ଲଢେଇ ହେବା ପକ୍କା ହୋଇଛି । ୧୯୯୭ ମସିହାରେ ପ୍ରଥମ କରି ଜଣେ କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ । ସେହି ସମାନ ବର୍ଷ ସେ ରାଜ୍ୟ ବିଜେପିର ଏସଟି ମୋର୍ଚ୍ଚାର ଉପ-ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ପରେ ୨୦୦୦ରୁ ୨୦୦୪ ଏବଂ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ବିଧାୟିକା ଭାବେ ନିର୍ବାଚନ ଜିତିଥିଲେ । ତେବେ ତାଙ୍କର ଏଭଳି କାମ ପରେ ତାଙ୍କୁ ବିଜେପି ଏସଟି ମୋର୍ଚ୍ଚାର ନ୍ୟାସନାଲ ଏକ୍ସକୁଟିଭ୍ ମେମ୍ବର ପଦ ମିଳିଥିଲା, ସେ ରାଜ୍ୟ ବିଜେପି ଏସଟି ମୋର୍ଚ୍ଚାର ସଭାପତି ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ ।

୨୦୦୭ ମସିହାରେ ସେ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ଆୱାର୍ଡ ମଧ୍ୟ ଜିତିଥିଲେ । ଆଉ ୨୦୧୦ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ମୟୁରଭଞ୍ଜ (ପଶ୍ଚିମ)ର ଜିଲ୍ଲା ବିଜେପି ସଭାପତି ରହିଥିଲେ । ୨୦୧୫ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କର କାର୍ଯ୍ୟକାଳ ଭିତରେ ସେ କୌଣସି ପ୍ରକାର ବିବାଦରେ ରହିନଥିଲେ । ତେଣୁ ଏନଡିଏ ଏବେ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ।