ସାମନାକୁ ଆସିଲା କନ୍ଧମାଳର କରୁଣ କାହାଣୀ । ବନ୍ଧୁଙ୍କ ସହ କଥା ହେଉଥିବାବେଳେ ନାବାଳିକାକୁ ଘେରିଯାଇ ନିର୍ଯାତନା ଦେଲେ କିଛି ଯୁବକ । ଦୁଇଦିନ ପରେ ମିଳିଥିଲା ମୃତଦେହ 

154

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଳା ସଦର ଥାନା ଅନ୍ତର୍ଗତ ଗୌଡପଡା ଗାଁର ନବମ ଶ୍ରେଣୀ ଛାତ୍ରୀର ସନ୍ଦେହଜନକ ମୃତ୍ୟୁ ଘଟଣାରେ ସାମନାକୁ ଆସିଛି ସାଂଘାତିକ ସତ । ମୃତ୍ୟୁ ପୂର୍ବରୁ ନାବାଳିକା ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେଉଥିବାବେଳେ ତାଙ୍କୁ ଘେରିଯାଇ କିଛି ଯୁବକ ନିସ୍ତୁକ ମାଡ ମାରିଥିଲେ । ଅସଦାଚରଣ କରିଥିଲେ । ତାର କିଛି ଦିନ ପରେ ଏକ ଜଙ୍ଗଲରୁ ମିଳିଥିଲା ଛାତ୍ରୀଙ୍କ ମୃତ ଦେହ ।

ଛାତ୍ରୀ ଜଣଙ୍କୁ ସେଦିନ ସର୍ବସମ୍ମୁଖରେ ଘେରିଯାଇଥିଲେ କିଛି ଯୁବକ । କେବଳ ଘେରିନଥିଲେ ନୃଶଂସତାର ସବୁ ସୀମା ଟପିଯାଇଥିଲେ, ଆଉ ନିର୍ଯାତନା ଦେଇଥିଲେ । ନାବାଳିକା ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେଉଥିବା ସମୟରେ ତାଙ୍କୁ ଗାଁର କିଛି ଯୁବକ ଘେରି ଯାଇଥିଲେ । ଯୁବକମାନେ ନାବାଳିକାଙ୍କୁ ରାତିରେ ଏଠାରେ କଣ କରୁଛୁ ପଚାରିବା ପରେ ସବୁ ସୀମା ଟପିଯାଇଥିଲେ । ନାବାଳିକା ଜଣଙ୍କୁ ମାଡ ମାରି ତାଙ୍କ ନାକ ଫଟାଇ ଦେଇଥିଲେ । ନାକରୁ ଧାର ଧାର ରକ୍ତ ଝରୁଥିଲା । ତଥାପି ସେହ ନୃଶଂସଙ୍କ ରାଗ ଶାନ୍ତ ପଡିନଥିଲା ।

ନାବାଳିକା ଝିଅକୁ ନିର୍ଯାତନା ଦିଆଯିବା ଘଟଣା ସାମନାକୁ ଆସିବା ପରେ ତାତି ଉଠିଛନ୍ତି ବାପା, ମା, ପରିବାର ସ୍ଥାନୀୟ ସାମାଜିକ ସଂଗଠନ । ଝିଅକୁ ନ୍ୟାୟ ଦାବିରେ ରାସ୍ତାରେ ପ୍ରତିବାଦ କରିଛନ୍ତି । ଥାନା ଘେରାଉ କରିଛନ୍ତି । ପୋଲିସ ଜାଣିଶୁଣି ମାମଲାକୁ ଶିଥିଳ କରି ଦେଇଥିବା ଅଭିଯୋଗ କରିଛନ୍ତି । ଏଥିସହ ତଦନ୍ତକାରୀ ଅଧିକାରୀ ମାମଲାକୁ ଠିକ୍ ଢ଼ଙ୍ଗରେ ତଦନ୍ତ କରିନଥିବା ଓ ପ୍ରକୃତ ଅଭିଯୁକ୍ତମାନଙ୍କୁ ଗିରଫ କରିନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ଏହି ମାମଲାରେ ଏପର୍ଯ୍ୟନ୍ତ ପୋଲିସ ୧୦ଜଣଙ୍କୁ ଗିରଫ କରିଛି । ଆଉ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଫୁଲବାଣୀ ଏସଡିପିଓ । ନିର୍ଯାତନାର ଶିକାର ହେବା ପରେ ନାବାଳିକା ଜଣଙ୍କ ନିଖୋଜ ହୋଇଯାଇଥିଲା । ଦିନକ ପରେ କନ୍ଧମାଳ ସରକାରୀ ଆଇଟିଆଇ ପଛରେ ଥିବା ଜଙ୍ଗଲର ଏକ ଗଛଝରୁ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତାପରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ବାପା-ମାଆ ।