ଆଜିଠାରୁ ଆଭ୍ୟନ୍ତରୀଣ ଓଡିଶାରେ କୁଆପଥର ବର୍ଷା ସମ୍ଭାବନା: ଆଂଚଳିକ ପାଣିପାଗ ବିଭାଗର ପୂର୍ବନୁମାନ ଦୁଇଦିନ ହୋଇପାରେ ଝଡିବର୍ଷା, ୧୫ ପରେ ବଦଳିବ ପାଗ

27

କନକ ବ୍ୟୁରୋ: ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଆଜିଠାରୁ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ତିନି ଦିନ ଲାଗି ଏଭଳି ସ୍ଥିତି ଜାରି ରହିବ । ୧୨ ଓ ୧୩ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷାର ବି ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

ଆଜି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, କଟକ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ହାଲକା ବର୍ଷା ସହ କୁଆପଥର ପଡ଼ିବାର ସମ୍ଭାବନା ରହିଛି । ୧୩ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ କୁଆପଥର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ପୁରୀ, ଖୋର୍ଧା, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକର କେତେକ ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟ ବର୍ଷା ହୋଇପାରେ । ୧୪ରେ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସକାଳୁ ପାଗ କୋହଲା ରହିବା ସହ ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ ସୂଚନା ଅନୁଯାୟୀ, ଉତ୍ତର ପଶ୍ଚିମ ଆଡ଼ୁ ଓଡ଼ିଶା ଉପରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି । ତାହା ପ୍ରଭାବରେ ବର୍ଷା ହେବ । ଏଥିସହ ଗୁରୁଚାପର ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ରହୁଛି । ତେଣୁ କେତେକ ସ୍ଥାନରେ ହାଲକା ବର୍ଷା ସହ କୁଆପଥର ପଡ଼ିବାର ବି ସମ୍ଭାବନା ରହିଛି । ଅଭ୍ୟନ୍ତରୀଣ ଓଡ଼ିଶାରେ ପବନ ବୋହିବ । ୧୪ ତାରିଖ ପର୍ଯ୍ୟନ୍ତ ଅଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଏଭଳି ପାଗ ଦେଖିବାକୁ ମିଳିବ । ୧୫ ତାରିଖ ବେଳକୁ ପାଗ ସ୍ୱାଭାବିକ ସ୍ଥିତିକୁ ଫେରିବ । ୧୬ ତାରିଖଠାରୁ ପୁଣିଥରେ ଦିନର ତାପମାତ୍ରା ବୃଦ୍ଧି ପାଇବ ବୋଲି ଶ୍ରୀ ସାହୁ ଆକଳନ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ପଶ୍ଚିମ ଓଡ଼ିଶାକୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ତଳକୁ ଖସି ଆସିଛି । କୋରାପୁଟରେ ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୩୨, ମାଲକାନଗିରିରେ ୩୧.୬, ସୋନପୁରରେ ୩୧.୪, ହୀରାକୁଦରେ ୩୧.୩, ବଲାଙ୍ଗିରରେ ୩୧, ଝାରସୁଗୁଡ଼ାରେ ୩୦.୮, ଅନୁଗୁଳରେ ୩୦.୭, ସମ୍ବଲପୁରରେ ୩୦.୬, ଭବାନୀପାଟଣାରେ ୩୦.୫, ସୁନ୍ଦରଗଡ଼ରେ ୩୦ ଡିଗ୍ରି ରହିଥିଲା । ଦିନ ସାରା ପାଗ କୋହଲା ଥିଲା । ରାତିର ବି ସର୍ବନିମ୍ନ ତାପମାତ୍ରା ୧୫ରୁ ୨୦ ଡିଗ୍ରି ମଧ୍ୟରେ ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟାରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ କୋହଲା ପାଗ ରହିବା ସହ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ସର୍ବାଧିକ ତାପମାତ୍ରା ୨୮ ଓ ସର୍ବନିମ୍ନ ୧୯ ଡିଗ୍ରି ରହିବ ।