ଛତିଶଗଡ ପଟେ ଲହଡି ଭାଙ୍ଗୁଛି ପାଣି, ଓଡିଶା ପଡିଛି ଶୁଖିଲା । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକ ନ୍ୟୁଜ୍

165

କନକ ବ୍ୟୁରୋ: ଛତିଶଗଡ ପୁଣି ବନ୍ଦ କରିଛି କଲମା ବ୍ୟାରେଜର ସମସ୍ତ ଗେଟ୍ । ଫଳରେ ଛତିଶଗଡ ପଟେ ମହାନଦୀରେ କେବଳ ପାଣି ଆଉ ପାଣି ଥିବାବେଳେ ତଳମୁଣ୍ଡରେ ମହାନଦୀ ଶୁଖିଲା ପଡିଛି । ଅଣମୌସୁମୀ ସମୟରେ ପଡୋଶୀ ମହାନଦୀରେ ପାଣି ଅଟକାଇଥିବାରୁ ଓଡିଶା ପଟ ପୂରା ଶୁଖିଲା ପଡିଛି । ଏହି ସମୟରେ କଲମା ବ୍ୟାରେଜରେ ସ୍ଥିତି ପରଖିଛି କନକ ନ୍ୟୁଜ ।

  • ଖରାଦିନେ ପାଣି ଅଟକାଉଛି ଛତିଶଗଡ
  • ଛତିଶଗଡ ପଟେ ପାଣି ଆଉ ପାଣି, ଶୁଖିଲା ପଡିଛି ଓଡିଶା
  • ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରିଖିଲା କନକ ନ୍ୟୁଜ

ଛତିଶଗଡ ରାୟଗଡର ଜିଲ୍ଲାର କଲମା ବ୍ୟାରେଜ । ଆଉ ଏହି ବ୍ୟାରେଜ ଜରିଆରେ ଛଡିଶଗଡ ଅଟକାଇଛି ମହାନଦୀ ପାଣି । ଫଳରେ ଛତିଶଗଡ ପଟେ ମହାନଦୀରେ ପାଣି ଲହଡି ଭାଙ୍ଗୁଥିବାବେଳେ ଓଡିଶାପଟ ଶୁଖିଲା ପଡିଛି । ଖରାଦିନେ ଆକାଶରୁ ନିଆଁ ବର୍ଷୁଥିବାବେଳେ ଛତିଶଗଡ ସମସ୍ତ ୬୬ଟି ଗେଟକୁ ବନ୍ଦ କରି ରଖିଛି । ଆଉ ଛତିଶଗଡ ଏହି ମହାନଦୀ ପାଣିକୁ ସେଠାକାର ଶିଳ୍ପ ସଂସ୍ଥାକୁ ଯୋଗାଇଦେଉଛି ଆଉ ଏହାର ଫଳ ଭୋଗୁଛନ୍ତି ଓଡିଶାବାସୀ । ଓଡିଶା ପଟେ ରହୁଥିବା ତଳମୁଣ୍ଡର ନଇକୂଳିଆ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଓଡିଶାପଟ ମହାନଦୀରେ ପାଣି ନଥିବାରୁ ଚାଷ କାମ ବି ପ୍ରଭାବିତ ହୋଇଛି ।

କଲମା ବ୍ୟାରେଜ କରି ଛତିଶଗଡ ମହାନଦୀ ପାଣି ଅଟକାଉଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ । ଛତିଶଗଡ଼ ତା ଜାଗାରେ ବ୍ୟାରେଜ କରି ପାଣି ନେଉଛି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଆଜି ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାର ପାଣି ଅଟକାଇବା ପାଇଁ ତଳ ମୁଣ୍ଡରେ କିଛି କରିନାହାନ୍ତି । ରାଜ୍ୟ ସରକାର କୁମ୍ଭୀର କାନ୍ଦଣା ନକାନ୍ଦି ମହାନଦୀ ତଳମୁଣ୍ଡରେ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରି ବର୍ଷଦିନ ଜଳକୁ ସଂରକ୍ଷିତ କରି ରଖିବା ଉପରେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଟୁଡୁ । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛି ବିଜେଡି । ତେବେ ଏବେ ବଡ ଧରଣର ଜଳସଙ୍କଟ ଦେଖାଦେବା ସମ୍ଭାବନା ଦେଖାଦେଇଛି । ହୀରାକୁଦର ଜଳସ୍ତର ବି କମିବ ଆଶଙ୍କା ବି ପ୍ରକାଶ ପାଇଛି ।