ପୂର୍ବ ଶତ୍ରୁତାକୁ ନେଇ ପୁରୀ ମାର୍କେଟ ଛକରେ ହଣାକଟା, ୩ ଗୁରୁତର ହସ୍ପିଟାଲରେ ଭର୍ତ୍ତି

125

କନକ ବ୍ୟୁରୋ: ପୁରୀରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଆଜି ଭୋର ସମୟରେ ପୁରୀ ମାର୍କେଟ ଛକରେ ଦୁଇ ଗୋଷ୍ଠୀ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି । ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି । ଟାଉନଥାନା ଅଧିକାରୀ ଓ କୁମ୍ଭାରପଡା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ ।

ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଆଜିକାଲି ପୁରୀ ସହର ଅଶାନ୍ତ ରହୁଛିି । ସାହି ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ସେବାୟତଙ୍କ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଛି । ଯାହାକୁ ନେଇ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଅତର୍କିତ ଆକ୍ରମଣ ହୋଇଥିବାବେଳେ ଆଜି ପୁଣି ଏଭଳି ଅଭାବନୀୟ ଘଟଣା ଘଟିଛି ।