ମାଲାମାଲ ମାଷ୍ଟ୍ରାଣି । ଆୟ ୫ ଲକ୍ଷ ହେଲେ ସମ୍ପତି ୭୫ ଲକ୍ଷ, କେଉଁଠୁ ଆସିଲା ଏତେ ଟଙ୍କା? 

ଅଡିଟର ସ୍ୱାମୀଙ୍କ ଆଡକୁ ଉଠିଲା ସନ୍ଦେହର ଆଙ୍ଗୁଳି । ବେଆଇନ୍ ଭାବେ ସ୍ତ୍ରୀଙ୍କ ନାଁରେ ରଖୁଥିଲେ କି ଟଙ୍କା ?

7,224

କନକ ବ୍ୟୁରୋ: ଗାୟତ୍ରୀ ସେଠୀ ଚାକିରି ଶିକ୍ଷକତା । ହେଲେ ଗାୟତ୍ରୀଙ୍କ ସମ୍ପତି ବିଷୟରେ ଜାଣିଲେ ଆପଣ ତାଜୁବ ହୋଇଯିବେ । ୬ବର୍ଷର ସହକାରୀ ଶିକ୍ଷୟତ୍ରୀର ଚାକିରିରେ କମେଇଛନ୍ତି ୭୫ଲକ୍ଷ ଟଙ୍କା । ଏତେ ଟଙ୍କା କୁଆଡୁ ଆସିଲା, ଏତେ ସମ୍ପତି କେମିତି ହେଲା ଏବେ ସେନେଇ ଭିଜଲାନ୍ସ ଖୋଳତାଡ ଆରମ୍ଭ କରିଛି । ସନ୍ଦେହ କରାଯାଉଛି, ଏତେ ପରିମାଣର ସମ୍ପତି ଠୁଳ କରିବା ପଛରେ ରହିଛି ଗାୟତ୍ରୀଙ୍କ ସ୍ୱାମୀ ତଥା ଉଚ୍ଚଶିକ୍ଷା ବିଭାଗରେ ଆସିଷ୍ଟାଣ୍ଡ ଅଡିଟର ଭାବେ କାର୍ଯ୍ୟରତ ସୁଧୀର ଚନ୍ଦ୍ର ତ୍ରିପାଠୀଙ୍କ ଭୂମିକା ।

ଆୟ ୫ଲକ୍ଷ, ଖର୍ଚ୍ଚ ୭୫ ଲକ୍ଷ । ୬ବର୍ଷର ସହକାରୀ ଶିକ୍ଷୟତ୍ରୀର ଚାକିରି । ୬ବର୍ଷରେ ଆୟ କରିଛନ୍ତି ୫ ଲକ୍ଷ । ହେଲେ ଚଢାଉ ବେଳେ ଭିଜଲାନ୍ସ ହାତରେ ଲାଗିଛି ୭୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତି । ଶିକ୍ଷୟତ୍ରୀ ଜଣଙ୍କ କେମିତି ଏତେ ଟଙ୍କା କମାଇଲେ ସେନେଇ ତନାଘନା ତଦନ୍ତ ଆରମ୍ଭ କରିଛି ଭିଜଲାନ୍ସ । ଗାୟତ୍ରୀ ତ୍ରିପାଠୀ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ତେଲେଙ୍ଗାପେଣ୍ଠର ସାଇଣ୍ଡା ୟୁପି ସ୍କୁଲରେ ସହକାରୀ ଶିକ୍ଷୟତ୍ରୀ ଭାବେ ଚାକିରି କରନ୍ତି । ହେଲେ ତାଙ୍କ ସମ୍ପତି ଦେଖି ଅବାକ ହୋଇଯାଇଛି ଭିଜଲାନ୍ସ ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗାୟତ୍ରୀଙ୍କ ସମ୍ପତି ମାପ କରୁ କରୁ ତାଙ୍କ ସ୍ୱାମୀ ସୁଧୀର ଚନ୍ଦ୍ର ତ୍ରିପାଠୀଙ୍କୁ ତଦନ୍ତ ପରିସରକୁ ନେଇଛି ଭିଜଲାନ୍ସ । ସୁଧୀର ଉଚ୍ଚଶିକ୍ଷା ବିଭାଗରେ ଆସିଷ୍ଟାଣ୍ଡ ଅଡିଟର ଭାବେ କାମ କରନ୍ତି । ସୁଧୀର ୧୯୮୮ରୁ ୨୦୧୯ ମଧ୍ୟରେ ୩୦ଲକ୍ଷ ଟଙ୍କା ଆୟ କରିଛନ୍ତି । କିନ୍ତୁ ପତ୍ନୀଙ୍କ ନାଁରେ ୪୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଜମି ଓ ଘର କିଣିଛନ୍ତି । ଭିଜିଲାନ୍ସକୁୁ ମିଳିଥିବା ମୋଟ ୭୫ ଲକ୍ଷ ଟଙ୍କାର ସମ୍ପତି ଭିତରେ ରହିଛି ଡୁମୁଡୁମାର ପଂଚସଖା ନଗରରେ ଥିବା ୩ମହଲା ବିଶିଷ୍ଟ ଅଟ୍ଟାଳିକା, ଖୋର୍ଦ୍ଧା ବଡତୋଟା ଏବଂ ଡୁମୁଡୁମା ଅଂଚଳରେ ଥିବା ୪ଟି ଜମି, ମ୍ୟୁଚୁଆଲ ଫଣ୍ଡ, ସୁନାରୁପା ଅଳଙ୍କାର, ବ୍ୟାଙ୍କ ଲକର । ତେବେ ଗାୟତ୍ରୀଙ୍କ ପରେ ସ୍ୱାମୀ ସୁଧୀର ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିବା ନେଇ ଭିଜିଲାନ୍ସ ସନ୍ଦେହ କରୁଛି ।

ଅନ୍ୟପଟେ ଗାୟତ୍ରୀଙ୍କ ପରେ ଏବେ ତାଙ୍କ ସ୍ୱାମୀଙ୍କ ପାଳି । ଆଉ ଏହି ୨ଜଣ ସରକାରୀ ଚାକିରିଆଙ୍କ ସମ୍ପତି ତାଲିକାକୁ ନେଇ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ । ଯେତିକି ତଦନ୍ତ ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ତେବେ ଦେଖିବାର କଥା ଏବେ ଏହି ଦୁଇଜଣ ସରକାରୀ କୋଟିପତି ଦମ୍ପତିଙ୍କର କେଉଁ କେଉଁ ରାଜ୍ ସାମ୍ନାକୁ ଆସୁଛି ।