ଉତ୍ତର ପ୍ରଦେଶ ହାପୁଡରେ ବଡ ଦୁର୍ଘଟଣା, ଫ୍ୟାକ୍ଟ୍ରିର ବଏଲର ଫାଟି ୬ ଶ୍ରମିକ ମୃତ

136

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ହାପୁଡର ଏକ ଫ୍ୟାକ୍ଟ୍ରିରେ ବଏଲର ଫାଟି ଯିବାରୁ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏହାସହ ଏହି ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାର ସୂଚନା ପାଇବା ପରେ ଘଟଣା ସ୍ଥଳରେ ଦମକଳବାହୀନି ଓ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସେପଟେ ଏହି ଘଟଣା ବାବଦରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆଇଜି ଓ କମିଶନରଙ୍କ ସମେତ ଜିଲ୍ଲା ଅଧିକାରୀଙ୍କୁ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ସହ ଘଟଣାର ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ତୁରନ୍ତ ମେଡିକାଲରେ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣା ହାପୁଡ ଜିଲ୍ଲା ୟୁପିଏସଆଇଡିସିରେ ଘଟିଛି । ଏହି ଫ୍ୟାକ୍ଟ୍ରିରେ କାମ ଚାଲୁଥିବା ବେଳେ ହଠାତ ବଏଲର ଫାଟି ଯାଇଥିଲା । ଅଚାନକ ବଏଲର ଫାଟିଯିବାରୁ କାମ କରୁଥିବା ଶ୍ରମିକମାନେ ଫ୍ୟାକ୍ଟ୍ରି ଛାଡି ବାହାରକୁ ବାହାରିଯିବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁର ତାପ ଏତେ ଅଧିକ ଥିଲା କି ଫ୍ୟାକ୍ଟ୍ରିରୁ ବାହାରିବା ମଧ୍ୟରେ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିଲା ।