ନାକ୍ ଗ୍ରେଡରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ : ‘ଏ ପ୍ଲସ’ରୁ ଏ ତଳକୁ ଖସିଲା ମାନ୍ୟତା

159

କନକ ବ୍ୟୁରୋ : ନାକ୍ ଗ୍ରେଡରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ ମାନ୍ୟତା । ‘ଏ ପ୍ଲସ’ ମାନ୍ୟତାରୁ ଖସି ‘ଏ’ରେ ପହଞ୍ଚିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ୩ ପଏଣ୍ଟ ୧୬ ସ୍କୋର ସହ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଛି ଏ ଗ୍ରେଡ୍ । ୨୦୧୬ରେ ୩ ପଏଣ୍ଟ ୫୩ ସ୍କୋର ସହ ‘ଏ ପ୍ଲସ’ ମାନ୍ୟତା ପାଇଥିଲା ବିଶ୍ୱବିଦ୍ୟାଳୟ । ଗତମାସରେ ନାକ୍ ଟିମ୍ କ୍ୟାମ୍ପସରେ ଅନୁଧ୍ୟାନ କରି ଏହି ରିପୋର୍ଟ ଦେଇଛନ୍ତି । ଦୀର୍ଘ ୫ବର୍ଷ ପରେ ୩ ଦିନ ପାଇଁ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ ଟିମ୍ ।

ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟ କନଭୋକେଶନ ହଲରେ ଆୟୋଜିତ ଆଲୋଚନାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କ ଅନୁଭୂତି ଓ ସମସ୍ୟା ସମ୍ପର୍କରେ ମତ ରଖିଥିଲେ । ସେହିପରି ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ମଧ୍ୟ ଏହି ଟିମ୍ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟକୁ ଗ୍ରେଡ୍ ଦେବାରେ ଏହି ସମସ୍ତ ମତାମତକୁ ଟିମ୍ ବିଚାରକୁ ନେଇଥିଲା । ‘ଏ ପ୍ଲସ’ ମାନ୍ୟତା ପାଇସାରିଥିବା ଏହି ବିଶ୍ୱବିଦ୍ୟାଳୟ ‘ଏ ପ୍ଲସ ପ୍ଲସ’ ମାନ୍ୟତା ଦୌଡ଼ରେ ରହିଥିଲା । ଏଥିପାଇଁ ଶ୍ରେଣୀ ଗୃହଠାରୁ ଆରମ୍ଭ କରି ଉଦ୍ୟାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବ୍ୟାପକ ପରିବର୍ତନ କରି ନାକ୍ ଟିମ୍ ଆଗରେ ଉପସ୍ଥାପନ କରାଯାଇଥିଲା ।