ଯାଜପୁର : ଶେଷରେ ସରକାର ନଗଡ଼ା ଭଳି ଅପହଂଚ ଇଲାକାର କରୁଣ ସ୍ଥିତି ସଂପର୍କରେ ସ୍ୱୀକାର କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ସେଠାରେ ଗୋଟିଏ ଗୋଟିଏ ପରିବାରରେ ୮/୯ ଛୁଆ ଅଛନ୍ତି । ବର୍ଷେ ନପୂରୁଣୁ ପୁଣି ମା’ କୋଳକୁ ଆସିଯାଉଛି ଛୁଆ। ପରିବାର କଲ୍ୟାଣ ଯୋଜନା ବୋଲି କିଛି ନାହିଁ। ୨୪ଟି ପରିବାରରେ ଅଛନ୍ତି ୧୨୨ ଛୁଆ। ମା’ମାନଙ୍କୁ ଲୁଣ/ଭାତ ଛଡ଼ା ଅନ୍ୟ କିଛି ଖାଇବାକୁ ମିଳୁନି। ପିଲା ଦୁର୍ବଳ ହେବନି କେମିତି?
Kanak News is now on WhatsApp
Join and get latest news updates delivered to you via WhatsApp
କେବଳ ସେତିକି ନୁହେଁ, ମନ୍ତ୍ରୀ ସ୍ୱୀକାର କରିଛନ୍ତି ନଗଡ଼ାରେ କୌଣସି ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ତାଙ୍କ ପାଖରେ ରେସନ୍ କାର୍ଡ ନାହିଁ କି ଜବ୍ କାର୍ଡ ନାହିଁ। ଏତେ ଦିନ କେମିତି ନଗଡ଼ା ଭଳି ଅଂଚଳ ପାଖରେ ପ୍ରଶାସନ ପହଂଚିପାରିଲା ନାହିଁ ତାହା ଦୁର୍ଭାଗ୍ୟଜନକ।
ଆଦିବାସୀଙ୍କ ପାଇଁ ରହିଛି ଅନେକ ଯୋଜନା । ଆଦିବାସୀ ବିଭାଗ ରାଜ୍ୟର ୧୭ଟି ଅଂଚଳକୁ ମାକ୍ରୋ ପ୍ରୋଜେକ୍ଟ ଭାବେ ଗ୍ରହଣ କରିଛି। ଯେଉଁଠି ସବୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଦାବି କରୁଛି। ତେବେ ଏପର୍ଯ୍ୟନ୍ତ ନଗଡ଼ାରେ କାହିଁକି କୌଣସି ମୌଳିକ ସୁବିଧା ପହଂଚିଲା ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।