ଦୃଢ ଇଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟତା । ସଂଘର୍ଷରୁ ସଫଳତାକୁ ପୱନ କୁମାରଙ୍କ ଲମ୍ବଡିଆଁ

88

କନକ ବ୍ୟୁରୋ : ଅଭାବ ଅନଟନ ହେଉ ଅବା ଦାରିଦ୍ର୍ୟତା ଏସବୁ କେବଳ ମାତ୍ର ବାହାନା । ମନରେ ଅଦମ୍ୟ ଇଛାଶକ୍ତି ଓ କିଛି ନୂଆ କରି ଦେଖାଇବାର ନିଶା ଆଗରେ ତମାମ ସମସ୍ୟା ଗୁଡ଼ିକ ବି ହାର ମାନିବାକୁ ବାଧ୍ୟ । ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ୱେ ବି ମଣିଷ କିଭଳି ନିଜ ଲକ୍ଷ୍ୟ ହାସଲ କରିପାରେ ଏହାର ନୂଆ ଉଦାହରଣ ପାଲଟିଛନ୍ତି ଉତରପ୍ରଦେଶ ବୁଲନ୍ଦସହର ବିକାଶଖଣ୍ଡର ଗରିବ କୃଷକ ଘରର ପୁଅ ପୱନ କୁମାର । ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ତୃତୀୟ ପ୍ରୟାସରେ ୨୩୯ନଂ ରାଙ୍କ ହାସଲ କରି ନିଜ ସ୍ୱପ୍ନକୁ ପୂରା କରିବା ସହ ସେ ପରିବାର ଲୋକଙ୍କ ମୁହଁରେ ବଡ଼ ଖୁସି ଆଣିଦେଛନ୍ତି । ସଫଳତା ପାଇବା ପରେ ପୱନ ନିଜର ସଂଘର୍ଷର କାହାଣୀ ବଖାଣିବା ବେଳେ ଭାବପ୍ରବଣ ହୋଇଛନ୍ତି । ସେହିପରି ସାଧନ ନଥିବା ସତ୍ୱେ ପ୍ରତିକୂଳ ପରିସ୍ଥିତିରେ ଲକ୍ଷ୍ୟ ହାସଲ କରିବାକୁ ପୱନଙ୍କ ସଂଘର୍ଷକୁ ଗଣମାଧ୍ୟମ ସମ୍ମୁଖରେ ବର୍ଣ୍ଣନା କରିଛନ୍ତି ପରିବାର ଲୋକେ ।

ତେଲେଙ୍ଗାନା କରିମନଗର ଜିଲ୍ଲାର ନନ୍ଦାଲା ସାଇକିରଣ ନିଜର ଦ୍ୱିତୀୟ ପ୍ରୟାସରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହେବା ସହ ୨୭ ନଂ ରାଙ୍କ ହାସଲ କରିଛନ୍ତି । କିଛି ବର୍ଷ ତଳେ ସାଇକିରଣଙ୍କର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା ବିଡି କାରିଗର ଭାବେ କାମ କରନ୍ତି । ନନ୍ଦାଲା ସାଇକିରଣ ଜଣେ ହାର୍ଡୱୟାର ଇଂଜିନିୟର ଭାବେ କାମ କରୁଥିବା ବେଳେ ବିନା କୋଚିଂରେ ନିଜର ଦ୍ୱିତୀୟ ପ୍ରୟାସରେ ଏହି ସଫଳତା ପାଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାର ଉଦୟକ୍ରିଷ୍ଣା ରେଡ୍ଡୀ ମଧ୍ୟ ଚତୁର୍ଥ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ୭୮୦ ରାଙ୍କ ଆଣି ସଫଳତା ହାସଲ କରିଛନ୍ତି । ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ କନେଷ୍ଟବଳ ଭାବେ ଚାକିରୀ କରୁଥିବା ବେଳେ ସହଯୋଗୀ ମାନଙ୍କ ଅପମାନ ଯୋଗୁଁ ଚାକିରି ଛାଡିଥିଲେ ଉଦୟକ୍ରିଷ୍ଣା । ଲଗାତାର ୬ବର୍ଷ ଧରି ସଂଘର୍ଷ କରିବା ପରେ ଚତୁର୍ଥ ପ୍ରୟାସରେ ତାଙ୍କୁ ଏହି ସଫଳତା ମିଳିଛି । ଏହି ୩ଜଣ ସଫଳ ପରୀକ୍ଷାର୍ଥୀଙ୍କ ସଂଘର୍ଷର କାହାଣୀ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।