ଦକ୍ଷିଣ ଓଡ଼ିଶା ଦଖଲ ପାଇଁ ୩ ଦଳର ଜୋରଦାର କସରତ । ଆସୁଛନ୍ତି ମୋଦୀ, ରାହୁଲ । ନବୀନ ବି ଯିବେ ଦକ୍ଷିଣ ଓଡିଶା ।

105

କନକ ବ୍ୟୁରୋ: ନିର୍ବାଚନ ରାଜନୀତିରେ ଚଳିତ ସପ୍ତାହ ବେଶ ରୋଚକ ହେବାକୁ ଯାଉଛି । କାରଣ ଦକ୍ଷିଣ ଗଡ଼ ଦଖଲ ପାଇଁ ପ୍ରୟାସ ଆରମ୍ଭ କରିବେ ୩ ପ୍ରମୁଖ ରାଜନୈତିକ ଦଳ । ଏଥିପାଇଁ ପ୍ରଚାର ମଇଦାନକୁ ଓହ୍ଳାଇବେ ଶୀର୍ଷ ନେତା । ୩ତାରିଖରେ ଦକ୍ଷିଣ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷିଣ ଓଡ଼ିଶା ଗସ୍ତ କରିବେ । ଆଉ ୬ ତାରିଖରେ ସେହି ଦକ୍ଷିଣ ଓଡ଼ିଶାରେ ପ୍ରଚାର କରିବେ ରାହୁଲ ଗାନ୍ଧୀ ।

  • ଫୋକସରେ ଦକ୍ଷିଣ ଓଡ଼ିଶା
  • ଗଡ଼ ରକ୍ଷା ପାଇଁ ବଡ଼ ନେତାଙ୍କ କସରତ

ବଡ଼ ନେତାଙ୍କ ନଜରରେ ଓଡ଼ିଶା । ଆସନ୍ତା ୬ ତାରିଖରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମେ’ ୩ରେ ରାହୁଲ ରାହୁଲ ଗାନ୍ଧୀଙ୍କ ରାୟଗଡ଼ା କାର୍ଯ୍ୟକ୍ରମ ଥିବା ବେଳେ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ମେ’ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଦକ୍ଷିଣ ଓଡ଼ିଶାରୁ ରାଜ୍ୟରେ ନିର୍ବାଚନ ଅଭିଯାନ ଆରମ୍ଭ ହେଉଥିବାରୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟର ବଡ଼ ବଡ଼ ନେତାଙ୍କ ଫୋକସ ପାଲଟିଛି ଦକ୍ଷିଣ ଓଡ଼ିଶା ।

ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଥିଲେ । କିନ୍ତୁ ଏବେ ସମୟ ବଦଳିଛି । ନିକଟରେ ଓଡ଼ିଶାର ଭାଷା ଓ ଅସ୍ମିତା ସଙ୍କଟରେ ପଡିଥିବା କହିଛନ୍ତି ମୋଦୀ । ତେଣୁ ନିର୍ବାଚନୀ ସଭାରେ ମୋଦୀ କ’ଣ କହୁଛନ୍ତି, ତା’ ଉପରେ ରହିଛି ସମସ୍ତଙ୍କ ନଜର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସୂଚୀ

  • ବ୍ରହ୍ମପୁର ଓ ନବରଙ୍ଗପୁର ଜନସଭାରେ ଉଦବୋଧନ ଦେବେ ମୋଦୀ
  • ୬ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରରେ ସମାବେଶ କରିବେ
  • ଅପରାହ୍ନରେ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ

ନିର୍ବାଚନ ମଇଦାନରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ମୋଦୀଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ୩ ତାରିଖରେ ରାୟଗଡ଼ା ଗସ୍ତରେ ଆସୁଛନ୍ତି କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ । ନିର୍ବାଚନୀ ସଭାରେ ଉଦବୋଧନ ଦେଇ କଂଗ୍ରେସ ଗ୍ରାରେଣ୍ଟି ସମ୍ପର୍କରେ ବୁଝାଇବେ । ଅଳ୍ପ ଦିନ ମଧ୍ୟରେ ରାହୁଲଙ୍କ ଏହା ଦ୍ୱିତୀୟ ଗସ୍ତ ହୋଇଥିବାରୁ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିିଳିଛି ।

ଏପଟେ ଦକ୍ଷିଣ ଓଡ଼ିଶାରେ ନିଜ ଗଡ଼କୁ ରକ୍ଷା କରିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ଦଳର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍ କ୍ରମାଗତ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରଚାର କରୁଛନ୍ତି । ଏହି ସପ୍ତାହରେ ନବୀନ ପଟ୍ଟନାୟକ ଦକ୍ଷିଣ ଓଡ଼ିଶା ଗସ୍ତ କରି ଦଳର ପ୍ରଚାର ଅଭିଯାନକୁ ଆଗକୁ ନେବେ ।

  • ଦକ୍ଷିଣ ଓଡ଼ିଶାରେ କାହାର ପଲା ଭାରି?
  • କାହା ସପକ୍ଷରେ ଯିବ ଜନମତ?

ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନରେ ପଡ଼ିବ ଭୋଟ । ନଜର ପକାନ୍ତୁ, ଏହିସବୁ ଆସନରେ କିପରି ରହିଛି ଦଳୀୟ ସ୍ଥିତି …

୨୦୧୯ ନିର୍ବାଚନ

  • ୪ ଲୋକସଭା: ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ
  • ବ୍ରହ୍ମପୁର ଓ ନବରଙ୍ଗପୁର ହାତେଇ ଥିଲା ବିଜେଡି
  • କଳାହାଣ୍ଡିରେ ବିଜେପି ଓ କୋରାପୁଟ ଜିତିଥିଲା କଂଗ୍ରେସ
  • ୨୮ ବିଧାନସଭାରୁ ୨୦ ଆସନରେ ଜିତିଥିଲା ବିଜେଡି
  • ୪ ଆସନରେ ଜିତିଥିଲା ବିଜେପି
  • କଂଗ୍ରେସକୁ ମିଳିଥିଲା ୩ ଆସନ
  • ଗୋଟିଏ ସିଟରେ ଜିତିଥିଲେ ସ୍ୱାଧୀନ ପ୍ରାର୍ଥୀ

ଦକ୍ଷିଣ ଓଡ଼ିଶାରେ ପୂର୍ବରୁ କଂଗ୍ରେସର ଦବଦବା ଥିବା ବେଳେ ପରେ ବିଜେଡି ସେଠାରେ ଗଡ଼ ତିଆରି କରିବାରେ ସଫଳ ହୋଇଥିଲା । ଏବେ ଦକ୍ଷିଣ ଓଡ଼ିଶାରେ ବିଜେପି ମଧ୍ୟ ତା’ର ସଂଗଠନକୁ ଶକ୍ତିଶାଳୀ କରିବାରେ ସଫଳ ହୋଇଛି ।