ଉତ୍ତରପ୍ରଦେଶ ହିଂସା: ନମାଜ ପରେ ହିଂସା ଘଟଣାରେ ୩୦୬ ପ୍ରଦର୍ଶନକାରୀ ଗିରଫ।

83

କନକ ବ୍ୟୁରୋ: ନମାଜ ପରେ ହିଂସା ଘଟଣାରେ ଉତ୍ତର ପ୍ରଦେଶ ପୋଲିସ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନେଇଛି । ହିଂସାକାଣ୍ଡରେ ସାମିଲ ଥିଲା ୩୦୬ ଜଣଙ୍କୁ ଗିରଫ କରାଯାଇସାରିଛି । ପେଗମ୍ବର ମହମ୍ମଦ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ଏବଂ ନବୀନ ଜିନ୍ଦଲଙ୍କ ଟ୍ୱିଟକୁ ନେଇ ବ୍ୟାପକ ହିଂସା ଦେଖାଦେଇଛି । ଏହାକୁ ନେଇ ଗତ ଶୁକ୍ରବାର ନମାଜ ପରେ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଦର୍ଶନ ହେଉଥିଲା । ଉତ୍ତରପ୍ରଦେଶ କାନପୁରେ ମଧ୍ୟ ହିଂସାକାଣ୍ଡ ଘଟିଥିଲା । ହିଂସାରେ ଅନେକ ପୋଲିସ ଆହତ ହୋଇଥିଲେ । ଅନେକ ସରକାରୀ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିଲା । ୟୁପିର ୯ଟି ଜିଲ୍ଲା ବର୍ତ୍ତମାନ ସୁଦ୍ଧା ହିଂସାକୁ ନେଇ ୧୩ଟି ମାମଲା ରୁଜୁ ହୋଇଛି ।

ୟୁପି ପୋଲିସର କହିବା ମୁତାବକ, ଶୁକ୍ରବାର ହୋଇଥିବା ହିଂସାରେ ୩୦୬ ଉପଦ୍ରବୀ ଗିରଫ ହୋଇସାରିଛନ୍ତି । ସାହରନପୁରରୁ ୭୧, ହାଥରସରୁ ୫୧, ଆମ୍ବେଦକରନଗରରୁ ୩୪, ପ୍ରୟାଗରାଜରୁ ୯୨, ମୁରାଦାବାଦରୁ ୩୫, ଫିରୋଜାବାଦରୁ ୧୫, ଅଲିଗଡରୁ ୬ ଏବଂ ଜାଲୋନରୁ ୨ ଜଣ ଗିରଫ ହୋଇଛନ୍ତି । ସେହିଭଳି ଲକ୍ଷିମପୁର ଖେରୀରେ ଜଣେ ଗିରଫ ହୋଇଛି । ଏଠାରେ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ନମାଜ ପରେ ହୋଇଥିବା ହିଂସାରେ ୯ ଜିଲ୍ଲା ପ୍ରଭାବିତ ହୋଇଛି । ଏହି ଘଟଣାକୁ ନେଇ ପ୍ରୟାଗରାଜ, ସାହରନପୁରରେ ତିନିଟି ମାମଲା, ଫିରୋଜପୁର, ଅଲିଗଡ, ହାଥରସ, ମୁରାଦାବାଦ, ଆମ୍ବେଦକର ନଗର, ଖେରୀ ଏବଂ ଜାଲୋନରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଛି । ୧୦ ତାରିଖରେ ଘଟିଥିବା ଏହି ହିଂସାରେ ୩୦୬ ଦଣଙ୍କୁ ଗିରଫ କରାଯାଇଥିବା ବେଳେ ୧୩ ପୋଲିସକର୍ମୀ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ପରିସ୍ଥିତି ଶାନ୍ତ ପଡିଛି । ପ୍ରଶାନ୍ତ ଆହୁରି ମଧ୍ୟ କହିଛନ୍ତି ସାମାଜିକ ଗଣମାଧ୍ୟମରେ ଯେଉଁମାନେ ହେଟ୍ ସ୍ପିଚ ଏବଂ ଆପତ୍ତିଜନକ ପୋଷ୍ଟ କରୁଛନ୍ତି ତାଙ୍କ ଉପରେ ନଜର ରଖାଯାଇଛି । ଏହିଭଳି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ଚେତାବନୀ ଦେଇଛନ୍ତି ।