ଖୁବଶୀଘ୍ର ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ନିଜ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ଉପରୁ ପ୍ରତ୍ୟାହାର ହେବ ସମସ୍ତ ମାମଲା

252

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଯୋଗୀ ସରକାର ନିଜ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କ ଉପରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି । ସେପଟେ ମନ୍ତ୍ରୀ ଓ ବିଧାୟକଙ୍କ ଉପରେ ହୋଇଥିବା ସମସ୍ତ ମାମଲାର ସ୍କ୍ରିନିଂ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଛି । କହିରଖୁ କି ଉତ୍ତର ପ୍ରଦେଶ ବିଜେପିର ଅନେକ ବିଧାୟକ ଓ ମନ୍ତ୍ରୀଙ୍କ ନାମରେ ଶହ ଶହ ମାମଲା ପଡିରହିଛି ।

ଉତ୍ତର ପ୍ରଦେଶର ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିଜେପିର ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ନାମରେ ଥିବା ମାମଲାର ସ୍କ୍ରିନିଂ ପର୍ଯ୍ୟାୟ ଶେଷ ପାହାଚରେ ପହଂଚିଛି । ଏହି ସରିବା ମାତ୍ରେ ଯୋଗୀ ସରକାର ମାମଲା ପ୍ରତ୍ୟାହାର ନେଇ ଘୋଷଣା କରିବେ ।

ସେପଟେ ଯୋଗୀ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛି ସମାଜବାଦୀ ପାର୍ଟି ଓ କଂଗ୍ରେସ । ଏହାକୁ ଉଭୟ ବିରୋଧୀ ଦଳ ଅସାମ୍ବିଧାନିକ ବୋଲି କହିଛନ୍ତି । ସମାଜବାଦୀ ପାର୍ଟିର ପ୍ରବକ୍ତା ଅନୁରାଗ ଭଦୋରିଆ କହିଛନ୍ତି କି, ବିଜେପି ତାର ଅପରାଧୀକ ପ୍ରବୃତ୍ତି ରଖିଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ସୁରକ୍ଷା ଦେବାକୁ ଏଭଳି କରିବାକୁ ଯାଉଛି । ସେପଟେ କଂଗ୍ରେସ ପ୍ରବକ୍ତା ଅଂଶୁ ଅଶ୍ୱସ୍ଥି କହିଛନ୍ତି ଏହା ଆଇନ ବିରୋଧୀ । କାହା ଉପରେ ମାମଲା ହେବ ଓ କାହାକୁ ମାମଲାରୁ ମୁକ୍ତ କରାଯିବ ତାହା ନ୍ୟାୟପାଳିକା ବିଚାର କରିବ । ହେଲେ ଏହି ମାମଲାରେ ସରକାର ନ୍ୟାୟପାଳିକା କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା କଥା ସେ ଅଭିଯୋଗ କରିଛନ୍ତି ।