ବରେଲିରେ ଦଳାଚକଟା ପରେ ମାରାଥନ ରାଲି ଉପରେ ରୋକ ଲଗାଇଲା କଂଗ୍ରେସ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନୋଏଡା ରାଲି ବାତିଲ

149

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ କଂଗ୍ରେସ ତାର ନିର୍ବାଚନୀ ରାଲି ଉପରେ ବ୍ରେକ୍ ଲଗାଇଛି । ୟୁପି ନିର୍ବଚନକୁ ନେଇ କଂଗ୍ରେସ ‘ଲେଡକୀ ହୁଁ ଲଡ ଶକ୍ତି ହୁଁ’ ଅଭିଯାନ କ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ମାରାଥନ ରାଲିମାନ ଆୟୋଜନ କରିବାରେ ଲାଗିଥିଲା । ହେଲେ ଏବେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ସମସ୍ତ ରାଲିକୁ ବାତିଲ କରାଯାଇଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନୋଏଡାରେ ଯେଉଁ ରାଲିକୁ ସମ୍ବୋଧିତ କରିବାର ଥିଲା ତାହାକୁ ବି ମୁଖ୍ୟମନ୍ତ୍ରୀ ବାତିଲ କରିଦେଇଛନ୍ତି ।

କହିରଖୁ କି ଚଳିତ ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ହେଲେ ଅନ୍ୟପଟେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ପରେ ଗୋଟିଏ କଟକଣା ଲଗାଇବାରେ ଲାଗିଛନ୍ତି । ଅନ୍ୟପଟେ ନିର୍ବାଚନ ରାଲିକୁ ନେଇ ଲଗାତର ପ୍ରଶ୍ନ ଉଠିବାରେ ଲାଗିଛି ।

ବରେଲିରେ ଆୟୋଜିତ କଂଗ୍ରେସର ମାରାଥନ ରାଲିରେ ଦଳଚକଟା ପରେ ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଜାନୁଆରୀ ୪ ତାରିଖ ଅର୍ଥାତ ଗତକାଲି ହଜାର ହଜାର ଛାତ୍ରୀ ଏହି ମାରାଥନ ରାଲିରେ ଯୋଗ ଦେଇଥିଲେ । ମାତ୍ର ଅଚାନକ ରାଲିରେ ଦଳଚକଟା ଆରମ୍ଭ ହୋଇଯାଇଥିଲା । ଏଥିରେ ଅନେକ ଛାତ୍ରୀ ଆହତ ହୋଇଥିଲେ । ଏହାକୁ କଂଗ୍ରେସ ନେତାମାନେ ବିରୋଧୀଙ୍କର ଏକ ଷଡଯନ୍ତ୍ର ବୋଲି କହିଥିଲେ ।

ଗୋଟେପଟେ କଂଗ୍ରେସ ମାରାଥନ ରାଲି ଉପରେ ରୋକ ଲଗାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୋଏଡା ରାଲିକୁ ବାତିଲ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ବିଜେପି ତାର ବାକି ରାଲି ଉପରେ ରୋକ ଲଗାଇବ କି ନାହିଁ ? । ନିର୍ବାଚନୀ ରାଲିରେ ସାମାଜିକ ଦୂରତା ଓ ମାସ୍କ ଏକ ପ୍ରହେଳିକା ସାଜିଛି ।